ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ ପହଞ୍ଚିଲା ସ୍ୱାସ୍ଥ୍ୟ ସେବା । ଟିକାକରଣ ଶିବିରରେ ୪୦ ଜଣଙ୍କୁ ଦିଆଗଲା କୋଭିସିଲଡ୍ ଟିକା ।

97

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ କରୋନା କାଳରେ ଜଙ୍ଗଲି ଆଦିବାସୀଙ୍କ ନିକଟରେ ପ୍ରଶାସନ ପହଁଚାଇଲା ସ୍ୱାସ୍ଥ୍ୟସେବା । କୋଭିଡ ଭ୍ୟାକ୍ସିନେସନ ଶିବିର କରି ଲୋକଙ୍କୁ ଟିକାକରଣ କରିବା ସହ ସମସ୍ତ ଆଦିବାସୀ ଲୋକଙ୍କର ନମୂନା ପରୀକ୍ଷା କରାଯାଇଛି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିବା ଏହି କୋଭିଡ୍ ଟିକାକରଣ ଶିବିରରେ ୪୦ ଜଣଙ୍କୁ କୋଭିସିଲଡ୍ ଟିକା ଦିଆଯାଇଛି ।

ସେହିପରି ୯୭ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିଲା । ଆଦିବାସୀ ଅଂଚଳର ସମସ୍ତ ଲୋକଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ଏହା ହିଁ ସ୍ପଷ୍ଟ କରିଛି ଏକୁଲ ସେକୁଲ ଓ ପୁଟିପାଳରେ ଲୋକଙ୍କୁ ସ୍ପର୍ଶ କରିନି କରୋନା ଭୂତାଣୁ । ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମେଡିକାଲ ଅଫିସର ଡାକ୍ତର ପିକେ ଜେନାଙ୍କ ନେତୃତ୍ୱରେ ଆରବିଏସକେ ଟିମ୍ ଓ ଗୋଟିଏ ଭାକସିନେସନ୍ ଟିମ୍ ଏହି ଶିବିରରେ ସାମିଲ ହୋଇ ଲୋକଙ୍କ ଟିକାକରଣ ଓ ନମୂନା ପରୀକ୍ଷା କରିଥିଲା । ଏହି ଅବସରରେ ଜଙ୍ଗଲ ପାହାଡ ଘେରା ଆଦିବାସୀ ଅଂଚଳର ଲୋକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯାଇ ଥିଲା । ଗର୍ଭବତୀଙ୍କୁ ଔଷଧ ବଣ୍ଟନ ସହିତ ସମସ୍ତ ଲୋକଙ୍କୁ ମାସ୍କ ଏବଂ ଔଷଧ ବଣ୍ଟନ କରାଯାଇଛି । କରୋନା କାଳରେ ଏପରି ସ୍ୱାସ୍ଥ୍ୟସେବା ପାହାଡିଆ ଅଞ୍ଚଳରେ ପହଁଚିଥିବାରୁ ଏକୁଲ ସେକୁଲର ଜନତା ଖୁସି ପ୍ରକାଶ କରିଛନ୍ତି ।