ରାଜ୍ୟରେ ସ୍ଥିର ହୋଇଗଲା କି ଦୈନିକ ସଂକ୍ରମଣ ? ଜୁନ ପ୍ରଥମ ସପ୍ତାହରେ ଦ୍ରୁତ ଗତିରେ ତଳକୁ ଖସୁଥିଲା, ପରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ହେଉନାହିଁ ହ୍ରାସ, ବଢ଼ିଲା ଚିନ୍ତା । 

258

କନକ ବ୍ୟୁରୋ : ଗତ କିଛି ଦିନ ହେବ ରାଜ୍ୟର କରୋନାର ଦୈନିକ ସଂକ୍ରମଣ ଏକପ୍ରକାର ସ୍ଥିର ହୋଇଯାଇଛି ।  ଶୀର୍ଷରେ ପହଁଚିବା ପରେ ତଳକୁ ଖସୁଥିଲେ ମଧ୍ୟ ପ୍ରାୟ ଦୁଇ ସପ୍ତାହ ହେଲା ପ୍ରାୟ ତିନି ହଜାର ପାଖରେ ଅଟକି ଯାଇଛି । ଏପରିକି ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଯିବ ବୋଲି ବିଶେଷଜ୍ଞମାନେ ଯେଉଁ ଆକଳନ କରିଥିଲା ତାହା ଠିକ୍ ହୋଇନାହିଁ ।

ଗତ ଦୁଇ ସପ୍ତାହ ହେଲା ରାଜ୍ୟର ଦୈନିକ ସଂକ୍ରମଣ ତଳ ଉପର ହେଉଛି । ଜୁନ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଯେପରି ଦ୍ରୁତ ଗତିରେ ସଂକ୍ରମଣ ତଳକୁ ଖସୁଥିଲା, ତାହା ହଠାତ୍ ସ୍ଥିର ହୋଇ ଯାଇଛି । ନଜର ପକାନ୍ତୁ ଜୁନ ମାସରେ ରାଜ୍ୟର କରୋନା ଗ୍ରାଫ୍ ଉପରେ –

ଜୁନ ୧ ତାରିଖରେ ୮ ହଜାର ୭୩୫ ନୂଆ ପଜିଟିଭ୍ ମାମଲା ଆସିଥିଲା, ସଂକ୍ରମଣ ହାର ଥିଲା ୧୪.୦୨ ପ୍ରତିଶତ । ଜୁନ ୭ ତାରିଖରେ ୬ ହଜାର ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୯.୧୦ ପ୍ରତିଶତକୁ ହ୍ରାସ ପାଇଥିଲା ।

ତାରିଖସଂକ୍ରମଣ   ସଂକ୍ରମଣ ହାର

ଜୁନ ୧୮,୭୩୫     ୧୪.୦୨%

ଜୁନ ୭ ୬,୧୧୮      ୯.୧୦%

ଜୁନ ୧୪ ତାରିଖରେ ସଂକ୍ରମଣ ହାର ୬.୩୩ ପ୍ରତିଶତକୁ ଖସି ଆସିଥିଲା । ଏବଂ ୨୧ ତାରିଖରେ ୩ ହଜାର ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ୪.୯୭ ପ୍ରତିଶତକୁ ହ୍ରାସ ପାଇଥିଲା ସଂକ୍ରମଣ ହାର । ଅର୍ଥାତ୍ ଜୁନ ତୃତୀୟ ସପ୍ତାହରେ ଯେଉଁ ଗତିରେ ସଂକ୍ରମଣ ତଳକୁ ଖସୁଥିଲା, ସେଥିରେ ଶିଥିଳତା ଦେଖିବାକୁ ମିଳିଥିଲା ।

ଜୁନ ୧୪ ୪,୩୩୯ ୬.୩୩%

ଜୁନ ୨୧ ୩,୦୩୧ ୪.୯୭%

ହେଲେ ଜୁନ ମାସ ଶେଷ ସପ୍ତାହରେ ଦୈନିକ ସଂକ୍ରମଣ ଏକପ୍ରକାର ସ୍ଥିର ହୋଇ ଯାଇଛି । ଗୋଟିଏ ଦିନ ସଂକ୍ରମଣ ସାମାନ୍ୟ କମିଲେ, ପରଦିନ ପୁଣି ସଂକ୍ରମଣ ବଢ଼ିଯାଉଛି । ପ୍ରଥମ ଦୁଇ ସପ୍ତାହରେ ଯେପରି ହ୍ରାସ ପାଉଥିଲା, ସେଥିରେ ଲଗାମ ଲାଗି ଯାଇଛି । ରାଜ୍ୟର କରୋନା ଗ୍ରାଫକୁ ଦେଖିଲେ ସ୍ପଷ୍ଟ ଭାବେ ରାଜ୍ୟରେ ଦ୍ୱିତୀୟ ଲହର ପିକରୁ ଖସି ଆସି ପୁଣି ଥରେ ପ୍ଲାଟ୍ୟୁ ସ୍ଥିତିରେ ରହିଯାଇଛି । ଜୁନ ୨୨ ତାରିଖରେ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା, ସଂକ୍ରମଣ ହାର ଥିଲା ୪.୭୯ ପ୍ରତିଶତ । ଆଉ ୨୮ ତାରିଖରେ ୩ ହଜାର ୩୧୯ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୫.୦୨ ପ୍ରତିଶତ ।

ଜୁନ ୨୨ ୨,୯୫୭ ୪.୭୯%

ଜୁନ ୨୩ ୩,୪୫୬ ୫.୨୪%

ଜୁନ ୨୪ ୩,୬୫୦ ୫.୨୦%

ଜୁନ ୨୫ ୨,୯୧୨ ୪.୫୩%

ଜୁନ ୨୬ ୩,୫୫୪ ୫.୧୭%

ଜୁନ ୨୭୩,୪୦୮୪.୯୮%

ଜୁନ ୨୮ ୩,୩୧୯ ୫.୦୨%

ବିଶେଷଜ୍ଞମାନେ ଭାବୁଥିଲେ ଜୁନ ଶେଷ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଚାଲିଆସିବ । ହେଲେ ଆକଳନ ଅନୁରୂପ ସଂକ୍ରମଣ ତଳକୁ ଖସୁନାହିଁ । ଏଭଳି ଏକ ପ୍ଲାଟ୍ୟୁ ସ୍ଥିତି ଚିନ୍ତା ବଢ଼ାଇ ଦେଇଛି ।

କରୋନାର ପ୍ରଥମ ଲହରର ସ୍ୱଭାବ ଏପରି ନଥିଲା । ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ତୀର୍ଯ୍ୟକ ଭାବେ ତଳକୁ ଖସିଥିଲା । ରାଜ୍ୟରେ ଶହେ ତଳକୁ ଖସି ଆସିଥିଲା ଦୈନିକ ସଂକ୍ରମଣ । ହେଲେ ଦ୍ୱିତୀୟ ଲହରରେ କରୋନା ଗ୍ରାଫ୍ ସମାନ ଭାବେ ଗତି କରୁନାହିଁ । ମହାରାଷ୍ଟ୍ର ଓ ମୁମ୍ବାଇରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏବେ ଦୈନିକ ସଂକ୍ରମଣ ସ୍ଥିର ଭାବେ ଗତି କରୁଛି । ଏହାକୁ ଇଂରେଜୀରେ ଥିକ୍ ଟେଲ୍ ବା ଚଉଡ଼ା ଲାଂଜ ବୋଲି କୁହାଯାଉଛି ।