ପରିବାରର କାହାକୁ ଛାଡ଼ିଲାନି କରୋନା । ୧୦ ବର୍ଷର ଝିଅ ସହ ଗୋଟିଏ ପରିବାରର ୪ ଜଣ କରୋନା ପଜିଟିଭ୍, ଜଣେ ମୃତ ।

3,190

କନକ ବ୍ୟୁରୋ: ବିପଦ ବେଳାରେ ଆପଣାର କେହି ନା କେହି ଜଣେ ଠିଆ ହୋଇଥାନ୍ତି । ହେଲେ ଭୂତାଣୁ ମଣିଷକୁ ଏତେ ଅସହାୟ କରିଦେଇଛି ଯେ, କିଏ କାହା ପାଖରେ ଠିଆ ହେବା ତ’ ଦୂରର କଥା, କେହି କାହାରି ମୁହଁ ଚାହିଁବା ସ୍ଥିତିରେ ନାହାଁନ୍ତି । କରୋନା ଯୋଗୁଁ ଏଭଳି କିଛି ସ୍ଥିତି ଦେଇ ଗତି କରୁଛନ୍ତି କୁଦପାଟଣା ସ୍କୁଲ ଶିକ୍ଷୟତ୍ରୀଙ୍କ ପରିବାର ।

ନିଆଳି କୁଦପାଟଣା ୟୁପି ସ୍କୁଲର ଶିକ୍ଷୟତ୍ରୀ ସସ୍ମିତା ସାହୁ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ନୀଳାଚଳ କୋଭିଡ୍ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ୧୦ ବର୍ଷର ଝିଅ, କୋଣାର୍କ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ମା’ ଓ ଭାଇ କଟକ କୋଭିଡ୍ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଆଉ ଏସବୁ ଭିତରେ ସସ୍ମିତାଙ୍କ ବାପା ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଭୂତାଣୁ କେତେ ଭୟାବହ ହୋଇପାରେ ଏବଂ ଭଗବାନ କେତେ ନିଷ୍ଠୁର ହୋଇପାରନ୍ତିି, ନିଆଳିରୁ ଆସିଥିବା ଏହି ଖବର ହିଁ ବୟାନ କରୁଛି । ସସ୍ମିତା ନା’ ମା କିମ୍ବା ଭାଇଙ୍କ ପାଖକୁ ଯିବା ସ୍ଥିତିରେ ଅଛନ୍ତି, ନା କୁନି ଝିଅ ପାଖକୁ ଯାଇ ତା କଥା ବୁଝିବା ଅବସ୍ଥାରେ ଅଛନ୍ତି ।

ପରିବାରର ଅନ୍ୟ ସଦସ୍ୟମାନେ ବି କେହି କାହା ପାଖକୁ ଆସପାରୁ ନାହାଁନ୍ତି । ଆସିବେ ବା କେମିତି, ନିଜେ ସସ୍ମିତା ବାଳକାଟି କୋଭିଡ୍ ହସ୍ପିଟାଲରେ ଥିବାବେଳେ ଝିଅ କୋଣାର୍କ କୋଭିଡ୍ ହସ୍ପିଟାଲ ଭର୍ତି ହୋଇଛନ୍ତି । ଏପଟେ ମା’ ଓ ଭାଇ କଟକର କୌଣସି ଏକ କୋଭିଡ୍ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଉ ଘରର ମୁରବି ଥିବା ସସ୍ମିତାଙ୍କ ବାପା ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।