ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କଟକଣା କଡାକଡିର ଚିତ୍ର । ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ । ହୀରାକୁଦରେ ଘୋଷଣା ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।

139

କନକ ବ୍ୟୁରୋ: କରୋନା ଯେତେବେଳେ ବଢ଼ୁଛି, କଟକଣାକୁ କଡ଼ାକଡ଼ି କରିବା ପ୍ରଶାସନ ପାଇଁ ବାଧ୍ୟବାଧକତା ପାଲଟି ଯାଇଛି।ରାଜ୍ୟର ବିଭିନ୍ନି ସ୍ଥାନରୁ ଆଜି କଟକଣା କଡାକଡି ହେବା ନେଇ ଅନେକ ଚିତ୍ର ଆସିଛି । ପ୍ରଥମତଃ ଭୁବନେଶ୍ୱରରେ କୋର୍ଟ କମ୍ପେ୍ଲକ୍ସ୍କୁ ସିଲ କରାଯାଇଥିବା ବେଳେ ହୀରାକୁଦରେ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା ହୋଇଛି । ସେହିପରି ବାହାଘର ପ୍ରୋସେସନ ବେଳେ ନିୟମ ଉଲଂଘନ ଯୋଗୁଁ ଜୟପୁରରେ ପୁଲିସ୍ ରେଡ୍ କରିଛି ଏବଂ ପୁରୀରେ ପରିବା ମାର୍କେଟ ଉପରେ ରହିଛି ପ୍ରଶାସନର ନଜର ।

କୋର୍ଟ ପରିସରରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସକୁ ସିଲ କରିଦିଆଯାଇଛି । ପରିସରକୁ ବିଶୋଧନ କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମେ ୫ ତାରିଖ ଯାଏଁ କୋର୍ଟ ପରିସରକୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିକୃତ ଲୋକଙ୍କୁ ଛାଡିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିପାରିବେ ନାହିଁ । ସେହିପରି କରୋନା କଟକଣାକୁ ଉଲ୍ଲଘଂନ କରି ବାହାଘର ପ୍ରସେସନ ଚାଲିଥିବା ବେଳେ ପୋଲିସ ଚଢଉ କରିଛି । କୋରାପୁଟ ଜିଲ୍ଲା ଚାରଗାଁରେ କୋଭିଡ଼ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୌଣସି ସୁତ୍ରରୁ ଖବର ପାଇ ବୋରିଗୁମା ଥାନା ଅଧିକାରୀ ସଂଜୟ ମଣ୍ଡଳ ଏବଂ ତାଙ୍କର ଏକ ଟିମ୍ ସହ ଚଢଉ କରିଥିଲେ । ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରି ୧୦ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ ।

ଏପଟେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର କିଛି ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଂଚଳ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଯୁଯୁମୁରା ଗାଁକୁ ମାଇକ୍ରୋକଂଟେନମେଂଟ ଏବଂ ଭିଏସଏସ କଲୋନୀ, ମିର୍ଦ୍ଧାପଡ଼ା, ଚମାରପଡ଼ା, ହରିଜନପଡ଼ା ଓ ଦୁର୍ଗାମଣ୍ଡପ ଅଂଚଳ ବୋଫର ଜୋନ ଘୋଷଣା କରାଯାଇଛି । ଡଙ୍ଗାପାଳ ଗାଁ  ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା ହୋଇଥିବା ବେଳେ ଝରନପଡ଼ା ଓ ବାହାଡାପଡାକୁ  ବୋଫରଜୋନ ଘୋଷଣା କରାଯାଇଛି । ମହାନଗର ନିଗମ ୱାର୍ଡ ନମ୍ବର ୧୦ର ହୀରାକୁଦର ହିଣ୍ଡାଲକୋ କଲୋନୀର ଇ ଟୁ  ବ୍ଲକକୁ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା କରଯାଇଛି । ଆଉ ଏସଡିଓ କଲୋନୀ, ହସ୍ପିଟାଲ, ଜି ଫୋର ବ୍ଲକକୁ  ବୋଫର ଜୋନ ଘୋଷଣା କରାଯାଇଛି ।

ସେହିପରି ପୁରୀରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରମୁଖ ପରିବା ମାର୍କେଟ୍କୁ ଆହୁରି ବ୍ୟବସ୍ଥିତ କରାଯାଇଛି । ସ୍ୱର୍ଗଦ୍ୱାର ମାର୍କେଟ୍, ମାର୍କେଟ ଛକ ବଜାର ଓ ସପିଙ୍ଗ ମଲ ଗୁଡ଼ିକରେ ସାମାଜିକ ଦୂରତା ପାଇଁ ବ୍ୟବସ୍ଥା ପ୍ରଶାସନ ବ୍ୟବସ୍ଥା କରିଛି । ଆଉ ଏହାରି ଭିତରେ ପୌରସଂସ୍ଥାର ୭ ନମ୍ବର ୱାର୍ଡର ହୋଟେଲ ପ୍ରଭୁପାଦ ଅଂଚଳ ଓ ୱାର୍ଡ ନମ୍ବର ୩୧ ଡିଏଜି କଲୋନୀକୁ ମାଇକ୍ରୋ କନଟେନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ସେପଟେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ମାର୍କେଟ ବିଲ୍ଡିଂକୁ ନିର୍ଦ୍ଧିଷ୍ଟ ସମୟ ପାଇଁ ସିଲ କରି କରିଛି ବିଏମସି । ସେହିପରି ବାପୁଜୀ ନଗର,  ଆଇଡି ମାର୍କେଟ, ରେଂଟାଲ ଛକର ବିଭିନ୍ନ ଫାଷ୍ଟ ଫୁଡ ଦୋକାନ ଉପରେ କଟକଣା ଲଗାଯାଇଛି ।