ବଲାଙ୍ଗୀର ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ୮ ଖଣ୍ଡ ବାଉଁଶକୁ ଅଢେଇ ଲକ୍ଷରେ କିଣିଛନ୍ତି ସରକାରୀ ବାବୁ 

182

କନକ ବ୍ୟୁରୋ: ଗତବର୍ଷ ଏପ୍ରିଲ ମାସରେ ବଲାଙ୍ଗୀର ସହରର ହାତୀଶାଳପଡ଼ାରେ କଂଟେନମେଂଟ ଜୋନ୍ ତିଆରି ହୋଇଥିଲା । ସହରରେ ପ୍ରଥମ ଏହି ଅଂଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକଣା ଲଗାଇଥିଲା ପ୍ରଶାସନ । ଏହି କଂଟେନ୍ମେଂଟ ଜୋନ ପାଇଁ ପ୍ରାୟ ୮ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । କିନ୍ତୁ ଏହି ୮ ଖଣ୍ଡ ବାଉଁଶକୁ ପ୍ରଶାସନ କେତେ ଟଙ୍କାରେ କିଣିଥିଲା, ଆପଣ ଶୁଣିଲେ ଚମକି ପଡ଼ିବେ । ଏହି ୮ ଖଣ୍ଡ ବାଉଁଶକୁ ୨ ଲକ୍ଷ ୪୨ ହଜାର ୪୧୬ ଟଙ୍କାରେ କିଣା ଯାଇଥିଲା ।

ଗୋଟିଏ  ବାଉଁଶକୁ ଅତି ବେଶୀରେ ୨୦୦ ଟଙ୍କାରେ କିଣିଲେ, ଏତିକି ବାଉଁଶ କିଣିବା ପାଇଁ ମାତ୍ର ୧୬ଶହ ଟଙ୍କା ଖର୍ଚ୍ଚ ହେବ । ରଶି, ମଜୁରୀ ଆଦି ମିଶାଇଲେ ହୁଏତ ଆଉ ହଜାରେ ଟଙ୍କା ଖର୍ଚ୍ଚ ହୋଇପାରେ । ମୋଟ ଖର୍ଚ୍ଚ ଅତି ବେଶୀରେ ୨୫ ଶହରୁ ୨୬ ଶହ ହୋଇପାରେ ।ବଲାଙ୍ଗୀର ଜିଲ୍ଲାର ଆର୍ ଆଣ୍ଡ ବି ଡିଭିଜନ୍ ପକ୍ଷରୁ ଏହି ହିସାବ କିତାବର ତଥ୍ୟ ସାମନାକୁ ଆସିଛି । ପ୍ରଥମେ ହାତୀଶାଳପଡ଼ା କଥା ଉଲ୍ଲେଖ କରାଯାଇଛି । କଂଟେନ୍ମେଂଟ ଜୋନ ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୪୨ ହଜାର ୪୧୬ ଟଙ୍କା । ପ୍ରକୃତ ଖର୍ଚ୍ଚର ଏହା ୧୦୦ ଗୁଣ ହେବ । ସେହିପରି ଠିକାଦାରପଡ଼ାର କଂଟେନମେଂଟ ଜୋନ୍ ପାଇଁ ଖର୍ଚ୍ଚ ହୋଇଛି ୩୯ ହଜାର ୪୫୬ ଟଙ୍କା । ତାଲପାଲିପଡ଼ାର କଂଟେନମେଂଟ ଜୋନ ପାଇଁ ଖର୍ଚ୍ଚ ହୋଇଛି ୨୩ ହଜାର ୯୮୪ ଟଙ୍କା । ସୁଦପଡ଼ାର କଂଟେନମେଂଟ ଜୋନ ପାଇଁ ସମାନ ୨୩ ହଜାର ୯୮୪ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଥିଲେ, ଯଦି ସେଭଳି ଦୁର୍ନୀତି ହୋଇଥାଏ, ଏହାର ଅନୁସନ୍ଧାନ କରାଯିବ । ଏଥିସହ ସଂପୃକ୍ତ ବାବୁଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି ସେ କହିଛନ୍ତି । ତେବେ ହାତୀଶାଳପଡ଼ାର ଘଟଣା ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେହି ପ୍ରଶ୍ନଟି ହେଉଛି, ସତରେ କ’ଣ ୮ଟି ବାଉଁଶ ପୋତି ଆମର ବାବୁମାନେ ଅଢ଼େଇ ଲକ୍ଷ ଟଙ୍କା ବିଲ୍ କରିଛନ୍ତି? ନା, ଏଥିରେ ଆଉ କିଛି ଖର୍ଚ୍ଚ ମିଶିଛି । ଏକଥା ତୁରନ୍ତ ସ୍ପଷ୍ଟ ହେବା ଆବଶ୍ୟକ । ନହେଲେ ଓଡ଼ିଶାବାସୀଙ୍କ ମନରେ ସରକାରଙ୍କ କରୋନା ପରିଚାଳନା ନେଇ ବଡ଼ ସଂଦେହ ସୃଷ୍ଟି ହେବ ।