ପଶ୍ଚିମ ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ରେଭେନ୍ସାରେ କରୋନା ଚିହ୍ନଟ ପରେ ସବୁ ପରୀକ୍ଷା ବାତିଲ ।

ସମ୍ବଲପୁର ଗାୟତ୍ରୀ କଲେଜକୁ ମଧ୍ୟ ହୋଲି ଯାଏଁ ବନ୍ଦ କଲା ପ୍ରଶାସନ

74

କନକ ବ୍ୟୁରୋ: ରେଭେନ୍ସାରୁ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୟୁନିଭରସିଟିରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ କୁ ବୃଦ୍ଧି ହୋଇଛି । ଫଳରେ ଦୁଇ ଦିନ ଧରି ହେବାକୁ ଥିବା  ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ  ବାତିଲ କରିଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ହଷ୍ଟେଲରେ ଯେଉଁ ବିଲ୍ଡିଂରେ ଆକ୍ରାନ୍ତ ହୋଇଛନ୍ତି, ସେଠାକୁ ଯିବା ଆସିବା ବାରଣ କରାଯାଇଛି । ଅନ୍ୟମାନଙ୍କୁ ଦୁଇ ଦିନ ମଧ୍ୟ ହଷ୍ଟେଲ ଛାଡିଦେବାକୁ କୁହାଯାଇଛି । ସେପଟେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ କଟକ ରାଣୀହାଟରେ ଥିବା ସୁପରମାର୍କେଟକୁ ସିଲ କରି ଦିଆଯାଇଛି । ଚଣ୍ଡୀଛକରେ ଥିବା ଏକ କୋଚିଂ ସେଂଟରକୁ ମଧ୍ୟ ସିଏମସି ବନ୍ଦ କରିଦେଇଛି ।

ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୱାନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଏମସି ତରଫରୁ କ୍ୟାମ୍ପ କରାଯାଇ ସବୁ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ସମ୍ବଲପୁରର ଗାୟତ୍ରୀ କଲେଜରେ ୨ କର୍ମଚାରୀ କରୋନା ଆକ୍ରାନ୍ତ ଜଣାପଡିବା ପରେ କଲେଜକୁ ହୋଲି ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି କର୍ତୃପକ୍ଷ । ସ୍କୁଲ, କଲେଜରେ ପଜିଟିଭ୍ ମାମଲା ଆସିବା ପରେ ଗଣଶିକ୍ଷା ବିଭାଗର ଏସଓପିକୁ କଡାକଡି ପାଳନ କରାଯିବା ନେଇ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ରଂଜନ ଦାଶ ।

ସେପଟେ ଦେଶରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ୨ଶହରୁ ଅଧିକ ପଜିଟିଭ୍ ମାମଲା ସାମନାକୁ ଆସିଛି । କଟକ, ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିଲା, ଏବେ ଏହା ସହ ଯୋଡି ହୋଇଯାଇଛି ପଶ୍ଚିମ ଓଡ଼ିଶା । ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଆଗରେ ରହିଛି, ସେଠାରୁ ୨୪ ଘଂଟାରେ ୩୩ ମାମଲା ଆସିଛି  । ଦିନକ ପୂର୍ବରୁ ନୂଆପଡ଼ାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଗୋଟିଏ ଦିନରେ ୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରେ ୨୦ ମାମଲା ସାମନାକୁ ଆସିଛି ।

ଓଡ଼ିଶା କରୋନା ମିଟର

୨୪ ଘଂଟାରେ ୨୧୪ ଆକ୍ରାନ୍ତ

  • ଖୋର୍ଦ୍ଧା – ୩୩
  • ସୁନ୍ଦରଗଡ଼ – ୨୭
  • କଟକ – ୨୦
  • ବଲାଙ୍ଗୀର – ୨୦

ରାଜ୍ୟରେ ବିଦେଶରୁ ଫେରିଥିବା ୩ ଜଣ ବିଟ୍ରେନ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ, ଏବେ ସେମାନେ ସୁସ୍ଥ ହୋଇ ସାରିଛନ୍ତି । ସେମାନଙ୍କ ଠାରୁ କାହାକୁ ଭୂତାଣୁ ସଂକ୍ରମିତ ହୋଇନଥିବା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।  ସେପଟେ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପରିବେଶକୁ ନେଇ ରୂପ ବଦଳାଇ ଥାଏ ବ୍ରିଟେନ୍ ଷ୍ଟ୍ରେନ୍ ।