ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସତର୍କବାଣୀ । ନିୟମ ନମାନିଲେ ପୁଣି ହେବ ଲକଡାଉନ୍ । କ୍ରମାଗତ ୨ ଦିନ ଧରି ମହାରାଷ୍ଟ୍ରରେ ୨୫ ହଜାର ଅଧିକ ସଂକ୍ରମିତ ଚିହ୍ନଟ ।

376

କନକ ବ୍ୟୁରୋ : ଦେଶରେ ସଂକ୍ରମଣ ବଢୁଥିବା ବେଳେ ଉଦବେଗଜନକ ରହିଛି ମହାରାଷ୍ଟ୍ରର ସ୍ଥିତି । ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ଧରି ୨୫ ହଜାର ଉପରକୁ ରହିଛି ଦୈନିକ ସଂକ୍ରମଣ । ଯାହା ବିଶ୍ୱ ମହାମାରୀ ଆରମ୍ଭ ହେବା ପରଠାରୁ ସର୍ବାଧିକ । ମୁମ୍ବାଇ ସ୍ଥିତି ମଧ୍ୟ ସଂଗୀନ ହେବାରେ ଲାଗିଛି । ଦିନକରେ କେବଳ ମୁମ୍ବାଇରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ବଢିଥିବା ବେଳେ ସବୁଠାରୁ ଅଧିକ ଉଦବେଗଜନକ ରହିଛି ମହାରାଷ୍ଟ୍ରର ସ୍ଥିତି । ଲଗାତର ଦ୍ୱିତୀୟ ଦିନରେ ବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୫ହଜାର ଟପିଛି । ଏହାରି ଭିତରେ ମହାରାଷ୍ଟ୍ରରେ ପୁଣି ଲକଡାଉନ ଫେରିବା ନେଇ ଚର୍ଚ୍ଚା ବଢିଛି । କୋଭିଡ ନିୟମ କଡାକଡି ଭାବେ ପାଳନ କରାନଗଲେ ତାଲାବନ୍ଦ ପୁଣି ଫେରିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସତର୍କ କରାଇଛନ୍ତି । ଜନସାଧାରଣ କୋଭିଡ ନିୟମକୁ ମାନିବାକୁ କହିବା ସହ ବିନା ଭୟରେ ଲୋକେ ଟିକା ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଗତ ୨୪ଘଣ୍ଟାରେ ମହାରାଷ୍ଟ୍ରରେ ୨୫ହଜାର ୬୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୫୫ଦିନ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଗତ ୨୪ଘଂଟାରେ ୭୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪ଲକ୍ଷ ୨୨ହଜାର ୨୧ରେ ପହଂଚିଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରର ନୂଆ ସଂକ୍ରମଣ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଫଳରେ ମହାରାଷ୍ଟ୍ର ସରକାର କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର କଟକଣା
– ମାର୍ଚ୍ଚ ୩୧ ଯାଏଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଘରୋଇ ସଂସ୍ଥା
– ଅଡିଟୋରିୟମ, ଥିଏଟର ଓ ସିନେମା ହଲ୍ରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି
– ମଲକୁ ପ୍ରବେଶ କରିବା ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଆବଶ୍ୟକ
– ଜନଗହଳିପୂର୍ଣ୍ଣ ସ୍ଥାନରେ ରାପିଡ ଆଂଟିଜେନ ଟେଷ୍ଟ କରିବାକୁ ବିଏମସିର ନିଷ୍ପତି
– ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
– ସମସ୍ତ ସାମାଜିକ, ଧାର୍ମିକ ଓ ରାଜନୈତିକ ସଭା ବାତିଲ
– ବିବାହ କାର୍ଯ୍ୟରେ ୫୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ
– ଅନ୍ତେଷ୍ଟି କ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ
– ନାଗପୁରରେ ମାର୍ଚ୍ଚ ୧୫ରୁ ୩୧ ସଂପୂର୍ଣ୍ଣ ଲକଡାଉନ୍
– ନାସିକରେ ରାତି ୭ରୁ ସକାଳ ୭ ଯାଏଁ ଦୋକାନ ବନ୍ଦ
– ନାନ୍ଦେଡରେ ରାତି ୭ରୁ ସକାଳ ୭ ଦୋକାନ ବଜାର ବନ୍ଦ
– ପୁନେରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
– ଓସମାନାବାଦରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ
– ଔରଙ୍ଗାବାଦରେ ସପ୍ତାହର ଶେଷଦିନ ଲକଡାଉନ୍

ମହାରାଷ୍ଟ୍ରରେ ପୁଣି ଥରେ ଫେରିପାରେ ଲକଡାଉନ । ମହାରାଷ୍ଟ୍ରରେ ଲଗାତର ଭାବେ ସଂକ୍ରମଣ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ପୁଣି ଥରେ ଲକଡାଉନ ହେବା ନେଇ ସଙ୍କେତ ଦେଇଛନ୍ତି । ଯଦି ସଂକ୍ରମଣ ବୃଦ୍ଧି ଜାରି ରହିବ ତେବେ ଲକଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଠାକରେ ।

ସାରା ଦେଶରେ ଆକ୍ରାନ୍ତଙ୍କ ତୁଳନାରେ କେବଳ ମହାରାଷ୍ଟ୍ରରୁ ୬୨ପ୍ରତିଶତ ସଂକ୍ରମିତ ରହିଛନ୍ତି । ନଜର ପକାନ୍ତୁ ମହାରାଷ୍ଟ୍ରର ୫ଟି ଜିଲ୍ଲାର ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲା ଉପରେ
ପୁନେ ୩୭,୩୮୪
ନାଗପୁର ୨୫,୮୬୧
ମୁମ୍ବାଇ ୧୮,୮୫୦
ଥାଣେ ୧୬,୭୩୫
ନାସିକ ୧୧,୮୬୭

ଗତ କିଛି ଦିନ ହେଲା ବଢି ଚାଲିଥିବା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ଉପରେ ପୁଣି ଥରେ କଟକଣା ଲାଗିଛି ।