କରୋନା ସଂକ୍ରମଣ ବ୍ୟାପୁଛି, ଚିନ୍ତା ବଢୁଛି । ମାସ୍କ ପିନ୍ଧିବା ସହ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

259

କନକ ବ୍ୟୁରୋ : ଦେଶରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇଛି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଟିକା ନେବାକୁ ଗୁରୁତ୍ୱ ଦେଉଛନ୍ତି ବିଶେଷଜ୍ଞ । ହେଲେ, ସଂଜୀବନୀ କୁହାଯାଉଥିବା ଟିକାକୁ ନେଇ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ଚମକାଇ ଦେବା ଭଳି । ସୂଚନା ଅନୁସାରେ ସମୟ ଗଡିଯାଇଥିଲେ ବି ଦ୍ୱିତୀୟ ଡୋଜ୍ ନେଇ ନାହାଁନ୍ତି ୬ଲକ୍ଷ ଲୋକ ଓ ବୁଷ୍ଟର ଡୋଜ୍ ନେଇନାହାଁନ୍ତି ଟାର୍ଗେଟରେ ଥିବା ୪୬ଲକ୍ଷ ଲୋକ ।

ଲଗାତର ୩ଦିନ ହେଲା ୨ ହଜାର ଉପରେ ରହୁଛି ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀରେ ଦିନକରେ ୯୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଟେଷ୍ଟ ପଜିଟିଭ ହାର ରହିଛି ୪ ଦଶମିକ ୭୧ ପ୍ରତିଶତ । ଦେଶର କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ସ୍ଥିତି ଆୟତରେ ରହିଛି । ତେବେ ସଂକ୍ରମଣ ନ ବଢ଼ିବ ବୋଲି ଭାବିବା ଠିକ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର । ରାଜ୍ୟରେ ଗତ ୨୪ ଘଂଟାରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ରୋକିବା ପାଇଁ ମାସ୍କ ପିନ୍ଧିବା ଓ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ଟିକା ନେବା ପାଇଁ ଆଗ୍ରହ କମୁଛି
ବୁଷ୍ଟର ଡୋଜ୍ ନେଇନାହାନ୍ତି ୬୦ ବର୍ଷରୁ ଉଦ୍ଧ୍ୱର୍ ୪୬ ଲକ୍ଷରୁ ଅଧିକ ଲୋକ
ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ୬ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ
ଚତୁର୍ଥ ଲହରର ଆଶଙ୍କା ଭିତରେ ଟିକା ପାଇଁ ଅନାଗ୍ରହ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ୪୫ ବର୍ଷରୁ ଉଦ୍ଧ୍ୱର୍ ୭ ଲକ୍ଷ ୩୧ ହଜାର ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସବୁଠୁ ବଡ଼ କଥା ହେଉଛି, କରୋନା ଶେଷ ହୋଇଗଲା ମନେ କରି ବୁଷ୍ଟର ନେଉନାହାନ୍ତି ଲୋକେ ।

ବୁଷ୍ଟର ଡୋଜ୍
୩.୫୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ମାତ୍ର ୧.୮୫ ଲକ୍ଷ ବୁଷ୍ଟର ଡୋଜ୍ ନେଇଛନ୍ତି । ୩.୫୨ ଲକ୍ଷ କରୋନା ସମ୍ମୁଖ ଯୋଦ୍ଧା ମଧ୍ୟରେ ବୁଷ୍ଟର ଡୋଜ୍ ନେଇଛନ୍ତି ୨.୭୩ ଲକ୍ଷ । ୫୨.୩୭ ଲକ୍ଷ ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ମଧ୍ୟରୁ ମାତ୍ର ୫.୭୭ ଲକ୍ଷ ନେଇଛନ୍ତି ବୁଷ୍ଟର ଡୋଜ୍ । ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧ ଶକ୍ତି କରୋନା ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଟିକାକରଣ ସଂକ୍ରମଣ ଚେନ୍ ଭାଙ୍ଗିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।