ରାଜ୍ୟରେ ଧିରେଧିରେ କମୁଛି କରୋନା : ଗ୍ରୀନ ଜୋନକୁ ଆସୁଛି ଓଡିଶା; ୧୨ ଜିଲ୍ଲା ଗ୍ରୀନ ଜୋନରେ

769

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣର ହାର କମିବାରେ ଲାଗିଛି । ଓଡିଶା ମାନଚିତ୍ର ଧିରେ ଧିରେ ସବୁଜ ହେବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୋଭିଡ ଡ୍ୟାସବୋର୍ଡ ଅନୁସାରେ ଏବେ ରାଜ୍ୟର ୧୨ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ସେହିପରି ୟେଲୋ ଜୋନରେ ୧୧ଟି ଜିଲ୍ଲା ଓ ରୋଡ ଜୋନରେ ରହିଛି ମାତ୍ର ୭ଟି ଜିଲ୍ଲା । ତେଣୁ ରଜ ବେଳକୁ ସଂକ୍ରମଣ ଅଧିକ କମିବା ଆଶା କରାଯାଉଛି ଓ ରଜ ପରେ ରାଜ୍ୟର ଅଧା ଜିଲ୍ଲାରୁ ଲକଡାଉନ ହଟିବା ସମ୍ଭାବନା ରହିଛି ।

ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡିକ ହେଉଛି, ମାଲକାନଗିରି, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ କେନ୍ଦୁଝର । ଅର୍ଥାତ ଏହି ୧୨ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରେ ତଳେ ରହିଛି । ତେବେ ଗ୍ରୀନ ଜୋନରେ ଥିବା ନୂଆପଡା, ଦେବଗଡ, ଗଜପତି, ଗଂଜାମ ଓ ଝାରସୁଗୁଡାରେ ଆକ୍ଟିଭ ମାମଲା ୫ଶହ ତଳେ ରହିଛି ।

ସେହିପରି ୟେଲୋ ଜୋନରେ ରହିଛି ୧୧ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକରେ ଆକ୍ଟିଭ ମାମଲା ୨୫ ଶହ ତଳକୁ ରହିଛି । ଆଉ ରାଜ୍ୟର ୭ଟି ଜିଲ୍ଲା ଏବେ ବି ରେଡ ଜୋନରେ ରହିଛି । ରେଡ ଜୋନରେ ଥିବା ଜିଲ୍ଲାଗୁଡିକ ହେଉଛି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଅନୁଗୁଳ । ଏସବୁ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ଶହ ଉପରେ ରହିଛି ।