ଓଡିଶାରେ ପ୍ରତ୍ୟେକ ଦିନ ୧୫ ହଜାର କରୋନା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସୁରଟରୁ କେବଳ ଟ୍ରେନରେ ଫେରିବା ପାଇଁ ଅନୁମତି ଦେବେ ସରକାର, ଗ୍ରୀନ ଜୋନରେ କୃଷି, ଶିଳ୍ପ ଓ ଜୀବନ ଜୀବିକା ପାଇଁ କୋହଳ କରାଯିବ କଟକଣା ।

461

କନକ ବ୍ୟୁରୋ: ରାଜ୍ୟରେ ପ୍ରତିଦିନ ନମୁନା ପରୀକ୍ଷଣ ୧୫ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କିପରି ଗ୍ରହଣ କରାଯାଉଛି ସେନେଇ ଆଲୋଚନା ହୋଇଥିଲା ।

ତେବେ ଏଣିକି ସୁରତରୁ ଫେରୁଥିବା ଶ୍ରମିକମାନେ କେବଳ ଟ୍ରେନ ଯୋଗେ ହିଁ ଫେରିବା ପାଇଁ ସରକାର ଅନୁମତି ଦେବେ । ସୁରତରୁ ଶ୍ରମିକମାନେ ବସରେ ଫେରିବା ବେଳେ ଖାଇବା ପିଇବାରେ ଅସୁବିଧା ହେବା ସହ ଦୁର୍ଘଟଣା ଭଳି ସମସ୍ୟା ରହିଛି । ତେଣୁ ରାଜ୍ୟ ସରକାର ଟ୍ରେନରେ ଆସିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିସହ ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଅନ୍ୟପଟେ ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଏବଂ ଏସଏଚଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗିର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଥିବାରୁ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।