ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା : କହିଲେ, ଲୋକଙ୍କ ଜୀବନଠାରୁ ଶିଳ୍ପସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର

ଯେକୌଣସି ଉପାୟରେ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇବାକୁ ନିର୍ଦ୍ଦେଶ

159

କନକ ବ୍ୟୁରୋ : କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅଭାବକୁ ନେଇ କେନ୍ଦ୍ର ସରକାରକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ଲୋକଙ୍କ ଜୀବନ ଠାରୁ ଶିଳ୍ପ ସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବ ନେଇ ମାକ୍ସ ହସ୍ପିଟାଲ ଦାୟର କରିଥିବା ପିଟିସନର ଜରୁରୀକାଳୀନ ଶୁଣାଣୀ କରି ହାଇକୋର୍ଟ କହିଛନ୍ତି, ଏଭଳି ଜରୁରୀ ସ୍ଥିତିରେ ମେଡିକାଲରେ ଅକ୍ସିଜେନ୍ ଅଭାବ, କୋର୍ଟକୁ ମର୍ମାହତ କରୁଛି ।

କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି, ଲୋକଙ୍କ ଜବୀନ ଧାରଣ ଅଧିକାରକୁ ସୁରକ୍ଷିତ ରଖି ଯେ କୌଣସି ପ୍ରକାର ହସ୍ପିଟାଲଗୁଡିକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉ । ଷ୍ଟିଲ ଓ ପେଟ୍ରୋଲିୟମ ଆଦି ଶିଳ୍ପ, ମେଡିକାଲ ପାଇଁ ଅକ୍ସିଜେନ୍ ଉତ୍ପାଦନ କରନ୍ତୁ ଏବଂ ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନକୁ କିଛି ଦିନ ପାଇଁ ବନ୍ଦ ରଖନ୍ତୁ । ହାଇକୋର୍ଟ କହିଛନ୍ତି, ସପ୍ତାହ ଓ ଦୁଇ ସପ୍ତାହ ପାଇଁ ଶିଳ୍ପ ସଂସ୍ଥାଗୁଡିକ ଅପେକ୍ଷା କରିପାରିବେ । କିନ୍ତୁ ଲୋକଙ୍କ ଜୀବନ ସବୁଠାରୁ ଅଧିକ ମୂଲ୍ୟବାନ । ମାକ୍ସ ହସ୍ପିଟାଲ ପିଟିସନରେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ମାକ୍ସ ହସ୍ପିଟାଲରେ ପ୍ରାୟ ୧୪ ଶହ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନେ ଅକ୍ସିଜେନ୍ ସହାୟତାରେ ରହିଛନ୍ତି ।