କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ସ୍କୁଲ ବନ୍ଦ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ

1,859

କନକ ବ୍ୟୁରୋ : ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ପରେ ଏବେ ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି ।ରାଜ୍ୟରେ କୋଭିଡ଼ ନିୟମକୁ କଡ଼ାକଡି ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଓଡିଶାରେ ଯଦି ଓ ଏବେ କରୋନା ଭୟାବହତା ନାହିଁ ,ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ସ୍କୁଲ ବନ୍ଦ କିମ୍ବା ଲକଡାଉନ ସଂପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ । ବର୍ତମାନ ଏସଓପି ଅନୁଯାୟୀ ସ୍କୁଲ ଚାଲିଛି । ଅବସ୍ଥାକୁ ଦେଖି ବିଚାର କରାଯିବ । ଶିକ୍ଷା ବିଭାଗ ସତର୍କ ଥିବା କହିଛନ୍ତି ସମୀର ଦାସ ।

ସେପଟେ, ଭାରତରେ କରୋନା ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇପାରେ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିଥିବା ବେଳେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି, ଭାରତରେ ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ । ନୂଆ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ସେହିପରି ଭାରତରେ ହର୍ଡଇମ୍ୟୁନିଟି ହୋଇଥିବା ଏକ କଳ୍ପନା ମାତ୍ର ବୋଲି କହିଛନ୍ତି ରଣଦୀପ ଗୁଲେରିଆ । କାରଣ ୮୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବା ଜରୁରୀ ।