ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁବ କରୋନାର ସଂକ୍ରମଣ : ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ

ମେ’ ମାସର ମଧ୍ୟ ଭାଗରେ ଦେଶରେ ୩୫ ଲକ୍ଷ ଛୁଇଁବ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

441

କନକ ବ୍ୟୁରୋ : ଓଡିଶାରେ ମେ’ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁପାରେ କରୋନାର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ଏକ ଗାଣିତିକ ମଡେଲ ଆଧାରରେ ଏହିଭଳି ପୂର୍ବାନୁମାନ କରାଯାଇଛି । ବର୍ତମାନ ରାଜ୍ୟ ତଥା ଦେଶରେ କରୋନାର ସଂକ୍ରମଣ ଯେଭଳି ହୁ ହୁ ହୋଇ ବଢିଚାଲିଛି, ସମସ୍ତଙ୍କ ମନରେ ସେହି ଗୋଟିଏ ଆଶଙ୍କା ଯେ, କେବେ କରୋନାର ଗ୍ରାଫ ଶୀର୍ଷକୁ ଛୁଇଁବ ଏବେ କେବେ ପୁଣି ଏହା ତଳକୁ ଖସିବା ଆରମ୍ଭ କରିବ ।

କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି । ତେଣୁ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଏଭଳି ସ୍ଥିତିରେ ମେ’ ୧୧ରୁ ୧୫ ମଧ୍ୟରେ ସାରାଦେଶରେ କରୋନା ଏହାର ସର୍ବୋଚ୍ଚ ସଂକ୍ରମଣରେ ପହଂଚିବ ବୋଲି କୁହାଯାଇଛି । ଏହି ସମୟରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ଛୁଇଁପାରେ । ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ତେଲେଙ୍ଗାନାରେ ଏପ୍ରିଲ ୩୦ ସୁଦ୍ଧା କରୋନା ଏହାର ପିକରେ ପହଂଚିବ ।

ଓଡିଶା ସମେତ ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତାମିଲନାଡୁରେ ଏହା ମେ’ ୧ରୁ ୫ ଭିତରେ ପିକରେ ପହଂଚିବ । ଏବଂ ମହାରାଷ୍ଟ୍ର, ଛତିଶଗଡରେ ଯେଭଳି ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି ଏହା ଶୀର୍ଷରେ ପହଂଚିସାରିଥିବା ଏହି ମଡେଲ ଆଧାରରେ କୁହାଯାଇଛି ।