ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୪୩,୬୫୪ ସଂକ୍ରମିତ ଚିହ୍ନଟ, ୬୪୦ ଜଣଙ୍କ ମୃତ୍ୟୁ

92

କନକ ବ୍ୟୁରୋ : ଦେଶରେ ପୁଣିଥରେ ଦୈନିକ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୩,୬୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣଙ୍କର ମୃତ୍ୟୁ ହୋଇଛି । କହିରଖୁ କି କିଛିଦିନ ହେବ ଦେଶରେ ଦୈନିକ କରୋନ ସଂକ୍ରମଣରେ ସ୍ଥିରତା ଆସୁନାହିଁ । କେବେ ବଢୁଛି ତ କେବେ କମୁଛି । କରୋନାର ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ଭିତରେ ଏଭଳି ଦୈନିକ ସଂକ୍ରମଣ ସଂଖ୍ୟାରେ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି ।

ଅନ୍ୟପଟେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୪ ହଜାର ୬୦୫ କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ଏବେ ବି ୩,୯୯,୪୩୬ ଆକ୍ଟିଭ୍ ମାମଲା ରହିଛି । ଏହାସହ ୩ କୋଟି ୬ ଲକ୍ଷ ୬୩ ହଜାର ୧୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଦେଶରେ ୪ ଲକ୍ଷ ୨୨ ହଜାର ୨୨ ଜଣ ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

ସେପଟେ କରୋନା ବିରୋଧୀ ଲଢେଇରେ ମୁଖ୍ୟଅସ୍ତ୍ର ସାଜିଥିବା ଟିକାକରଣକୁ ବି ଫୋକସ କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏପର୍ଯ୍ୟନ୍ତ ୪୪,୬୧,୫୬,୬୫୯ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।