ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା । କୋର୍ଟ କହିଲେ ଷଡଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଅଭିଯୋଗ ଉପରେ ଯାଂଚ ହେବ ବନ୍ଦ

91

କନକ ବ୍ୟୁରୋ : ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଥିବା ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚକୁ ବନ୍ଦ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । କୋର୍ଟ ଅହୁରି କହିଛନ୍ତି କି ଏଭଳି ଷଡଯନ୍ତ୍ର ଗୋଗୋଇଙ୍କର ବିଭିନ୍ନ ରାୟ ସହିତ ଜଡିତ ଥିବା ଆଶଙ୍କା କରାଯାଉଛି । ଏହିସବୁ ରାୟ ମଧ୍ୟରେ ରହିଛି ଏନଆରସି ବା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ।

ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ମାମଲାର ଯାଂଚ ଦାୟିତ୍ୱ ପୂର୍ବତନ ବିଚାରପତି ଏ.କେ ପଟ୍ଟନାୟକଙ୍କୁ ଦିଆଯାଇଥିଲା । ଏ ନେଇ ଶ୍ରୀ ପଟ୍ଟନାୟକ ଏକ ଯାଂଚ ରିପୋର୍ଟ କୋର୍ଟରେ ଦାଖଲ କରିବା ପରେ କୋର୍ଟ ମାମଲା ପଛରେ ଥିବା ଷଡଯନ୍ତ୍ର ଆଶଙ୍କାକୁ ଦୃଢ କରିଛନ୍ତି । କୋର୍ଟ କହିଛନ୍ତି କି ଗୋଗୋଇଙ୍କ ରାୟକୁ ନେଇ ସନ୍ତୁଷ୍ଟ ନଥିବା ଲୋକେ ଏଭଳି ଷଡଯନ୍ତ୍ର ରଚିଥିବା ଆଶଙ୍କା କରାଯାଉଛି ।