ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେବ ପୁଲିସ; ୩ ଦିନିଆ ରିମାଣ୍ଡ ପରେ ମୃତ୍ୟୁ ପଛର ଖୋଲିବ ଗୁମର

ଆବଶ୍ୟକ ହେଲେ ହୋଇପାରେ ଘଟଣାର ରି-କ୍ରିଏସନ୍

140

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରକେଶ ସ୍ୱାଇଁକୁ ଆଜି ରିମାଣ୍ଡରେ ନେବ ପୁଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଯାଜପୁର କୁଆଖିଆ ଥାନା ପୁଲିସ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରିବ । ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ ।

ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ ମଧ୍ୟ କରିପାରେ । ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି ? ସେହି ଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇ ଥିଲେ କି ? ସେ ଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କଣ ଘଟିଥିଲା, ସେବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ ।

ତେବେ ପୁଲିସ ଗେଷ୍ଟହାଉସରେ ତଦନ୍ତ କରିବା ସମୟରେ ଅନେକ ତଥ୍ୟ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି । ରାକେଶ ପୂର୍ବରୁ ମଧ୍ୟ ସେହି ଗେଷ୍ଟହାଉସକୁ ଆସିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏ ସମ୍ପର୍କରେ ଗେଷ୍ଟହାଉସ କର୍ମଚାରୀ ପୁଲିସ ଆଗରେ କିଛି ପ୍ରକାଶ କରୁନାହାନ୍ତି । ସେହିପରି ୨୬ ତାରିଖ ରାତିରେ ରାକେଶ ଖାଦ୍ୟ ବା ଅନ୍ୟ ସାମଗ୍ରୀ ଗେଷ୍ଟହାଉସକୁ ଆଣିଥିଲେ କି ନାହିଁ ସେ ସଂପର୍କରେ କୌଣସି କର୍ମଚାରୀ ମୁହଁ ଖୋଲୁନାହନ୍ତି । ପୁଲିସ ତଦନ୍ତ ପାଇଁ ପହଞ୍ଚିବା ପୂର୍ବରୁ ରୁମ୍‌କୁ ସଫା କରି ଦିଆ ଯାଇଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେବା ସହ ଅନେକ ପ୍ରମାଣ ନଷ୍ଟ କରି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଏବେ କେବଳ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଉପରେ ଭରସା କରିଛି ତଦନ୍ତକାରୀ ଟିମ୍ ।