ଭଲପାଇବା ଆଗରେ ହାର ମାନିଲା ଭୂତାଣୁ । ବାହାଘର ଦିନ କନ୍ୟା ପଜିଟିଭ୍ ପରେ ବି ହାତ ଛାଡ଼ିଲାନି ବର । ପିପିଇ କିଟ ଭିତରେ ହେଲା ବାହାଘର, ସାକ୍ଷୀ ରହିଲା କୋଭିଡ୍ ସେଣ୍ଟର ।

471

କନକ ବ୍ୟୁରୋ: ବେଦୀ ବନ୍ଧା ହୋଇଛି, ମନ୍ତ୍ରପାଠ ଚାଲିଛି, ହୋମ ନିଆଁକୁ ସାକ୍ଷୀ ରଖି ବେକରେ ବରଣମାଳା ପକାଇ ପାଖାପାଖି ବସିଛନ୍ତି ବରକନିଆଁ । ମୁଣ୍ଡରେ ଅଛି ମୁକୁଟ, ମଥାରେ ଲାଗିଛି ସ୍ୱାମୀ ହାତର ସିନ୍ଦୂର ଆଉ ସବୁ ରୀତିନିତି ସରିବା ପରେ ଦୁହେଁ ସାଜିଛନ୍ତି ସ୍ୱାମୀ ସ୍ତ୍ରୀ । ବିବାହର ଏ ବିରଳ ଦୃଶ୍ୟରେ ଆପଣଙ୍କ ଆଖି ବରକନ୍ୟାଙ୍କ ପୋଷାକ ଉପରେ ଲାଖି ରହିଥିବ । ଆଜ୍ଞା ହଁ ! ପିପିଇ କିଟ୍ ଭିତରେ ପଡିଛି ହାତଗଣ୍ଠି । କୋଭିଡ ସେଣ୍ଟର ଭିତରେ କରୋନା କବଚ ପିନ୍ଧି ଦୁହିଁଙ୍କ ଜୀବନ ହୋଇଛି ଛନ୍ଦାଛନ୍ଦି । ଆଉ ଭଲପାଇବାର ଭରସା ଆଗରେ ହାର ମାନିଛି ଭୂତାଣୁ । ସଂକ୍ରମଣର ସୂତା ଛିଡାଇ ଯୋଡି ଯାଇଛି ନୂଆ ଜୀବନ, ଆରମ୍ଭ ହୋଇଛି ନୂଆ ସମ୍ପର୍କ…

ରାଜସ୍ଥାନ ବାରା ସାହାବାଦ କୋଭିଡ ସେଣ୍ଟରେ ରବିବାର ଏମିତି ଏକ ବିବାହ ହୋଇଛି ଯାହା ସାରା ଦେଶରେ ଚର୍ଚ୍ଚାରେ ରହିଛି । ଏବେ ବିବାହ ଋତୁ ଚାଲିଥିବାରୁ ଅନେକ ଯୁବକ ଯୁବତୀ ବିବାହ କରୁଛନ୍ତି । ରବିବାର ଦିନ ଏ ପ୍ରେମୀ ଯୋଡିଙ୍କ ବିବାହ ହେବାର ଥିଲା । ମାତ୍ର ଦୁର୍ଭାଗ୍ୟର କଥା ବାହାଘର ଦିନ କନ୍ୟା କରୋନା ପଜିଟିଭ୍ ହୋଇଗଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କ ମୁଣ୍ଡରେ ଚଡକ ପଡିଲା । କେମିତି ହେବ ବାହାଘର, ଶୁଭ କାମ ଘୁଞ୍ଚିଗଲେ କଣ ହେବ ପରିସ୍ଥତି ? ଏ ସବୁ ଭାଳେଣୀ ଭିତରେ ଭୂତାଣୁର ଚକ୍ରବ୍ୟୁହ୍ ଭେଦି ଭରସା ଦେଇଥିଲା ବର । ପଜିଟିଭ ପରେ ବି ହାତ ଛାଡ଼ି ନଥିଲା ବର । ସଂକ୍ରମଣ ସତ୍ୱେ ବି ସାତ ଜନମର ସାଥୀ କରିବାକୁ ଦେଇଥିଲା ଦୃଢ ପ୍ରତିଶ୍ରୁତି ।

ବାସ୍ ତାପରେ ଦେଶ ଦେଖିଥିଲା ଏଭଳି ଏକ ନିଆରା ଦୃଶ୍ୟ । କନ୍ୟା ସଂକ୍ରମିତ ଥିବାରୁ ତାଙ୍କୁ କୋଭିଡ ସେଣ୍ଟର ପଠାଇ ଦିଆଗଲା । ତାଙ୍କ ସହ ବରଙ୍କୁ ବି । ଉଭୟ କୋଭିଡ ସେଣ୍ଟରରେ ପହଞ୍ଚିବା ପରେ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ ଉଭୟଙ୍କ ବିବାହ ହୋଇଛି । ବର-କନ୍ୟାଙ୍କ ସହ ପୂଜକ ଓ ପରିବାର ସଦସ୍ୟ ପିପିଇ କିଟ୍ ପିନ୍ଧି ବିବାହ କରିଥିଲେ । ଆଉ ସଂକ୍ରମଣ ଭିତରେ ସବୁଦିନ ପାଇଁ ସାକ୍ଷୀ ହୋଇ ରହିଗଲା କୋଭିଡ୍ ସେଣ୍ଟର । ମହାମାରୀ ବେଳେ ମରୁଭୂମି ରାଇଜରୁ ଆସିଥିବା ନୂଆ ଜୀବନ ଆରମ୍ଭର ନିଆରା କାହାଣୀ ଏବେ ସବୁଠି ଚର୍ଚ୍ଚାରେ ରହିଛି ।