ରେଳଯାତ୍ରୀଙ୍କୁ ସରକାରଙ୍କ ଝଟକା । ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ । ଜାଣନ୍ତୁ କେତେ ପଡିବ ଆପଣଙ୍କ ପକେଟ୍ ଉପରେ ପ୍ରଭାବ

659

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ ଯାଇ ରେଳ ବିଭାଗ କହିଛି କି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି । ଯାହାଦ୍ୱାରା ଅଧିକ ଲୋକ ରେଳରେ ଚଢିବେ ନାହିଁ । ରେଳ ବିଭାଗ ଦ୍ୱାରା ବୃଦ୍ଧି କରାଯାଇଥିବା ଭଡା ୩୦-୪୦ କିଲୋମିଟର ଯାଉଥିବା ଯାତ୍ରୀଙ୍କ ଉପରେ ଲାଗୁ ହେବ ।

ଭାରତୀୟ ରେଳ ବିଭାଗର ସୂଚନା ମୁତାବକ ଏହି ବର୍ଦ୍ଧିତ ଭଡା କେବଳ ୩ ପ୍ରତିଶତ ରେଳ ଉପରେ ଲାଗୁ ହେବ । ରେଳ ବିଭାଗ ଆହୁରି କହିଛି କି କରୋନା ପ୍ରକୋପ ଏବେ ବି ଲାଗି ରହିଛି । ଏହାସହ ଏବେ କିଛି ରାଜ୍ୟରେ ପୁଣି କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଫଳରେ ଅଧିକ ଲୋକ ଯେଭଳି ଟ୍ରେନ ନ ଚଢନ୍ତି ତାହାକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି କରାଯାଇଛି । ଫଳରେ କିଛି ପରିମାଣର କରୋନା ସଂକ୍ରମଣକୁ ରୋକାଯାଇ ପାରିବ ।

ରେଳ ବିଭାଗର ସୂଚନା ମୁତାବକ ବୃଦ୍ଧି ହୋଇଥିବା ଟିକେଟର ଦାମ ମେଲ, ଏକ୍ସପ୍ରେସ ଟ୍ରେନ ଆଧାରରେ କରାଯାଇଛି । ଏହାଦ୍ୱାରା ଅଳ୍ପଦୂର (୩୦-୪୦ କିଲୋମିଟର) ଯାଉଥିବା ଯାତ୍ରୀଙ୍କୁ ଏକ୍ସପ୍ରେସ ଟ୍ରେନରେ ଯେତିକି ଭଡା ଦେବାକୁ ପଡୁଥିଲା ଏବେ ମେଲ ଟ୍ରେନରେ ବି ସେତିକି ଭଡା ଦେବାକୁ ପଡିବ ।