କସମୋପଲିଟାନ କ୍ୟାମ୍ପସ ହେବ ବାଣୀବିହାର । ଫୋକସରେ ବିଦେଶୀ ଛାତ୍ରଛାତ୍ରୀ

20

କନକ ବ୍ୟୁରୋ : ଓଡ଼ିଶାକୁ ଆକୃଷ୍ଟ ହେଉନାହାନ୍ତି ବିଦେଶୀ ଛାତ୍ରଛାତ୍ରୀ। ଅନ୍ୟ ରାଜ୍ୟ ତୁଳନାରେ କମ୍ ବିଦେଶୀ ଛାତ୍ରଛାତ୍ରୀ ଏଠାରେ ଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଶିକ୍ଷାନୁଷ୍ଠାନକୁ ପଢ଼ିବାକୁ ଆସୁଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ। ବିଦେଶୀ ତଥା ଅନ୍ୟ ରାଜ୍ୟର ପିଲାଙ୍କୁ ଆକୃଷ୍ଟ କରିବା ଲାଗି ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶା ବାହାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୬ଟି ସହର ଚିହ୍ନଟ ହୋଇଛି।

ଉତ୍ତର ପୂର୍ବ ଭାରତ ରାଜ୍ୟଗୁଡ଼ିକ ପାଇଁ ଆଉ ଗୋଟିଏ ସହରରେ ପରୀକ୍ଷା କେନ୍ଦ୍ର କରାଯିବାର ପ୍ରସ୍ତାବ ରହିଥିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି।କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟକୁ କସମୋପଲିଟାନ କ୍ୟାମ୍ପସରେ ପରିଣତ କରାଯିବ। ବିଦେଶୀ ଓ ଅନ୍ୟ ରାଜ୍ୟର ପିଲାଙ୍କୁ ଉତ୍କଳକୁ ଆକୃଷ୍ଟ କରିବା ଲାଗି ଦିଲ୍ଲୀ, ବମ୍ବେ, ଚେନ୍ନାଇ, କଲିକତା, ହାଇଦ୍ରାବାଦ, ବାଙ୍ଗାଲୋରରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରାଯିବ। ଏଥିରେ ରାଜ୍ୟ ଓ ଦେଶ ବାହାରର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ସେମାନଙ୍କ ଲାଗି କ୍ୟାମ୍ପସରେ ବ୍ୟାପକ ସୁବିଧା ସୁଯୋଗ କରାଯିବ।

ଉତ୍ତର ପୂର୍ବ ଭାରତରେ ୮ଟି ରାଜ୍ୟ ରହୁଥିବାରୁ ସେଠାରେ ମଧ୍ୟ ଏକ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ବାହାର ରାଜ୍ୟର ପିଲାମାନେ ଏଠାରେ ପିଜି, ପିଏଚଡି, ଏମ.ଫିଲ୍ ପରି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିପାରିବେ। କ୍ୟାମ୍ପସରେ ଅନ୍ତର୍ଜାତୀୟମାନର ହଷ୍ଟେଲ ଥିବାରୁ ସେମାନଙ୍କ ରହିବା ଲାଗି କୌଣସି ପ୍ରକାର ଅସୁବିଧା ହେବ ନାହିଁ।

କେବଳ ଶିକ୍ଷାଦାନ ନୁହେଁ। ଗବେଷଣା କ୍ଷେତ୍ରରେ ବି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶାରେ ଥିବା ୫ଟି ଜାତୀୟସ୍ତରୀୟ ଗବେଷଣା ଓ ଶିକ୍ଷାନୁଷ୍ଠାନ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର, ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ, ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ଇନଷ୍ଟିଚ୍ୟୁଟ ଅଫ ମିନେରାଲସ ଓ ମାଟେରିଆଲ୍ସ ଟେକ୍ନୋଲୋଜି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଓ ଗବେଷଣା(ନାଇଜର) ସହ ମିଳିତ ଭାବେ କାର୍ଯ୍ୟକ୍ରମ ହେବ।