କାକଟପୁରରେ କାୟାକଳ୍ପ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ! ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ପରେ ତଦନ୍ତ ଜାରି ।

100
କନକ ବ୍ୟୁରୋ: କାୟାକଳ୍ପ ପ୍ରକଳ୍ପରେ ପୁରୀ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳିଛି । କାକଟପୁର ବ୍ଳକର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ପାଇଁ ଔଷଧିୟ ବୃକ୍ଷ ଲାଗିଛି, କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ହୋଇଛି । ହେଲେ ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ଥାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ପ୍ରତନିଧି ଏନେଇ ଅଭିଯୋଗ କରିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏହାର ତଦନ୍ତ କରିଛନ୍ତି ।
ପୁରୀ ଜିଲ୍ଲା କାକଟପୁର ବ୍ଳକରେ ଥିବା ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଛି କାୟାକଳ୍ପ ପ୍ରକଳ୍ପ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ଏହି ଅର୍ଥ ବ୍ୟୟ କରାଯାଇଛି । ମେଡିକାଲକୁ ମରାମତି କରି ରଙ୍ଗ ଦେବା ସହ ସ୍ୱାସ୍ଥ୍ୟ କାନ୍ଥରେ ବିଭିନ୍ନ ଜନ ସୂଚନା ବାର୍ତା ଲେଖାଯାଇଛି । ଏହାସହ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ରୋପଣ କରାଯାଉଛି । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ ମହାପାତ୍ର ବିଭଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଏହି କାମରେ ଦୁର୍ନୀତି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସଂପୃପ୍ତ ଅଧିକାରୀ ସ୍ଥାନିୟ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି କାର୍ଯ୍ୟ କରୁଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।
ବାଙ୍ଗୁରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରୁ ପାର୍କ ପରି ଦେଖା ଯାଉଥିବା ବେଳେ ଭିତରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇପଡିଛି । କାୟାକଳ୍ପ ଯୋଜନାରେ ଆସୁଥିବା ଅର୍ଥ ଠିକ୍ ଭାବରେ ବିନିଯୋଗ ହେଉ ନଥିବା ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା । ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇଙ୍କ ସହ ବହୁ ପଦାଧିକାରୀ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଛନ୍ତି । ସେପଟେ କାୟାକଳ୍ପ କାର୍ଯ୍ୟରେ ଦୁର୍ନିତୀ ହୋଇନଥିବା କହିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ ମହାପାତ୍ର । କାୟାକଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମାତାରେ ସ୍ୱଚ୍ଛତା  ରହୁ ନଥିବାରୁ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବି ହୋଇଛି ।