ଭୁବନେଶ୍ୱର-କଟକ ବସ୍ ଡିପୋରେ ଖତ ଖାଉଛି ସିଟି ବସ୍ । ୧୮୫ରୁ ୧୮୦ ବସ୍ ଅଚଳ, ହେଲେ ପ୍ରାୟ ୫୦ଟି ବସର ମିଳୁନି ଖୋଜ ଖବର

468

କନକ ବ୍ୟୁରୋ : ଭୁବନେଶ୍ୱର-ପୁରୀ-କଟକ ଅଞ୍ଚଳରେ ସିଟି ବସ୍ ଚଳାଇବା ପାଇଁ ୨୦୧୦ରେ ଆରମ୍ଭ ହୋଇଥିଲା ସିଟି ବସ୍ ସେବା । ୨୦୧୮ରେ ଏହି ସଂସ୍ଥାର ନାଁ ବଦଳିଗଲା, ଆଉ ହେଲା ମୋ’ ବସ୍ ସେବା । କେବଳ ନାଁ ବଦଳିଲା ହେଲେ, ଏହା ଭିତରେ କିଣାଯାଇଥିବା ୧୮୫ଟି ବସରୁ ୧୮୦ଟି ଅଚଳ ହୋଇଯାଇଥିବା ଦର୍ଶାଗଲା । ଗୋଟିଏ ପଟେ ଭଲ ବସ୍ ଗୁଡ଼ାକ ଖତ ଖାଉଥିବା ବେଳେ ଏବେ ପ୍ରାୟ ୫୦ ବସକୁ ବାହାରେ ବି ଦେଖିବାକୁ ମିଳୁନି ।

ଭୁବନେଶ୍ୱର ସିଟି ବସ୍ ଡିପୋ । ପୋଖରୀପୁଟରେ ପଡ଼ିଛି ଏହି ସବୁ ବସ୍ । ଏଠି ଅଛି ପ୍ରାୟ ୯୦ଟି ବସ୍ । ବସର ଅବସ୍ଥା ବିଶେଷ ଖରାପ ହୋଇନି । ହେଲେ ଏସବୁ ଏବେ ଅଚଳ । ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ବିପିଟିଏସ୍- ଭୁବନେଶ୍ୱର-ପୁରୀ ଟ୍ରାନସପୋର୍ଟ ସର୍ଭିସେସ୍ ପକ୍ଷରୁ ଚାଲିଥିବା ୧୮୫ଟି ବସରୁ ଏବେ ମାତ୍ର ୫ଟି ବସ୍ ଚାଲୁଛି । ବସଗୁଡ଼ିକ କିଛି ବର୍ଷ ଚାଲିବା ପରେ ଅଚଳ ହୋଇପଡ଼ିଛି । ୧୮୦ଟି ବସରୁ କଟକରେ ୩୦ଟି ବସ୍ ଆସିବା ଦିନରୁ ହିଁ ଚାଲିନାହିଁ । କଟକ ବିକାଶନଗର ପାଖରେ ପଡିଛି ୩୦ଟି ବସ୍ ।

ଗତବର୍ଷ ବିପିିଟିଏସ୍ ବନ୍ଦ ହୋଇଗଲା । ପୁଣି ଗଢ଼ାଗଲା ଆଉ ଏକ ଏସପିଭି-ସ୍ପେଶାଲ୍ ପର୍ପଜ୍ ଭେଇକିଲ୍ । ନାଁ ଦିଆଗଲା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ୍  । ଲକ୍ଷ୍ୟ ୩୦୦ ବସ୍ ଚଳାଇବା । ଏବେ ସୁଦ୍ଧା ମୋ’ ବସ୍ ଯୋଜନାରେ ୨୦୦ ବସ୍ ଚାଲିଲାଣି । ହେଲେ ମୋ’ ବସରେ କେତୋଟି ପୁରୁଣାବସକୁ ନୂଆ କରି ଚଲାଗଲା ତା’ର ହିସାବ ମିଳୁନାହିଁ ।

୧୮୫ଟି ବସକୁ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ କିଣାଯାଇଥିଲା । ପ୍ରଶ୍ନ ଉଠୁଛି ଏତେ ଶୀଘ୍ର ଭଲ ଅବସ୍ଥାରେ ଥିବା ଅଧିକାଂଶ ବସକୁ ଅଚଳ ଦର୍ଶାଗଲା କାହିଁକି? କୁଆଡ଼େ ଗଲା ସବୁଯାକ ଅଚଳ ବସ୍? ଏ ନେଇ ଆମେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିିଥିଲେ ସୁଦ୍ଧା ଉତର ମିଳିନାହିଁ । ଯାହା ଦର୍ଶାଉଛି ସିଟି ବସ୍ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ।