ସଚ୍ଚୋଟ ଦେଶରେ କିଏ ଆଗରେ କିଏ ପଛରେ? ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

754

କନକ ବ୍ୟୁରୋ : ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ସଚ୍ଚୋଟ ଦେଶରେ କେଉଁ ଦେଶ ସବୁଠାରୁ ଆଗରେ ରହିଛି । ଆଉ କେଉଁ ଦେଶ ଦୁର୍ନୀତିରେ ବୁଡି ରହିଛି ତାହା ଏହି ଲିଷ୍ଟ ଦେଖିଲେ ଜଣାପଡିବ । ଏହି ତାଲିକା ଜାରି କରିଛି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ । ତେବେ ଏହି ତାଲିକା ଜାରି ହେବା ପରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଭାରତ ଏହି ତାଲିକାରେ କେତେ ନମ୍ବରରେ ରହିଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟରେ କୁହାଯାଇଛି ଯେ କରୋନା ସମୟରେ ସବୁଠାରୁ ସଚ୍ଚୋଟ ଦେଶ ହେଉଛନ୍ତି ଡେନମାର୍କ, ନ୍ୟୁଜିଲାଣ୍ଡ, ଫିନ ଲାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନ । ସେହିପରି ଅଧିକ ଦୁର୍ନିତୀଗ୍ରସ୍ତ ଦେଶ ହେଉଛନ୍ତି ବେନେଜୁଏଲା, ୟମନ, ସିରିୟା, ସୋମାଲିୟା ଓ ଦକ୍ଷିଣ ସୁଡାନ । ଏହି ୧୮୦ ଦେଶ ମଧ୍ୟରେ ଭାରତ ୮୬ ନମ୍ବରରେ ରହିଛି । ୨୦୧୯ରେ ଭାରତ ଦୁର୍ନୀତିରେ ୮୦ତମ ସ୍ଥାନରେ ରହିଥିଲା । ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯେଉଁ ଦେଶରେ ଦୁର୍ନୀତି କମ ଅଛି ସେହି ଦେଶରେ କରୋନା ମୁକାବିଲା ସଠିକ ଭାବରେ ହୋଇଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ ଏହି ରିପୋର୍ଟ ତିଆରି କରିବାକୁ ବିଭିନ୍ନ କ୍ଷେତ୍ରରେ ଥିବା ଲୋକଙ୍କ ମତ ନେଇଥାନ୍ତି । ଏହି ଆଧାରରେ ସବୁ ଦେଶକୁ ରେଟିଙ୍ଗ କରାଯାଇଥାଏ । ଏହି ତାଲିକାର ରାଙ୍କର ସ୍ଥାନ ୧୦୦ରୁ ଶୂନ ଯାଏଁ ରହିଛି । ଶୂନ ଅଙ୍କ ମିଳିଥିବା ଦେଶ ସବୁଠାରୁ ଦୁର୍ନୀତି ଗ୍ରସ୍ତ ଆଉ ୧୦୦ ଅଙ୍କ ମିଳିଥିବା ଦେଶ ସବୁଠାରୁ ସଚ୍ଚୋଟ ଦେଶ ।

ତେବେ ଆସନ୍ତୁ ନଜର ପକାଇବା ଏହି ତାଲିକାରେ ଭାରତର ପଡୋଶୀ ଦେଶମାନଙ୍କର କଣ ସ୍ଥିତି ରହିଛି । ଏହି ତାଲିକାରେ ପାକସ୍ତାନସ୍ଥିତି ଅତି ଶୋଚନୀୟ ରହିଛି । ପାକିସ୍ତାନ ୧୮୦ ଦେଶରୁ ୧୨୪ ତମ ସ୍ଥାନରେ ରହିଛି । ସେହିପରି ଚୀନ ୭୮, ନେପାଳ ୧୧୭ ଓ ବାଂଲାଦେଶ ୧୪୬ ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଏହି ତାଲିକାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ୬୭ ତମ ସ୍ଥାନରେ ରହିଛି ।

ଏହି ବର୍ଷ ୨୬ଟି ଦେଶ ଦୁର୍ନୀତି ମାମଲାରେ ନିଜ ସ୍ଥିତିକୁ ସୁଧାରିଛନ୍ତି । ସେହି ଦେଶମାନଙ୍କ ମଧ୍ୟରୁ ଗ୍ରୀସ ସବୁଠାରୁ ଆଗରେ ରହିଛି । ଗ୍ରୀସ ଚଳିତ ବର୍ଷ ୧୪ଟି ସ୍ଥାନ ଉପରକୁ ଉଠିଛି । ସେହିପରି ମିଆଁମାର ୧୩ ସ୍ଥାନ ଓ ଇକ୍ୱାଡୋର ୭ ସ୍ଥାନ ଉପରକୁ ଉଠିଛି । ଅନ୍ୟପକ୍ଷ ଅନେକ ଦେଶ ନିଜ ସ୍ଥିତି ସୁଧାରିବାକୁ ବିଫଳ ହୋଇଛନ୍ତି ।