ଦେଶରେ ଚିନ୍ତା ବଢାଉଛି ୬ ରାଜ୍ୟର କରୋନା ସଂକ୍ରମଣ । ସବୁଠୁ ଆଗରେ ମହାରାଷ୍ଟ୍ର…

229

କନକ ବ୍ୟୁରୋ: ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ – ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି । ଗୁରୁବାର ସମଗ୍ର ଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୬ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫ ପ୍ରତିଶତ । କେରଳରୁ ୨୪୭୫ ଓ ପଞ୍ଜାବରୁ ୧୩୯୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣାରେ ନୂଆ ସଂକ୍ରମଣ ଅଧିକ ହେଉଥିବା ସୂଚନା ମିଳିଛି ।

ଗୋଟିଏ ଦିନରେ ଦେଶରୁ ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଅଢ଼େଇ ମାସ ଭିତରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୮୫ ହଜାର ୫୬୧କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଂଟା ଭିତରେ ୧୨୬ ଜଣଙ୍କର ମୃତ୍ୟୁ ହେଇଛି । ଯାହାକି ୮୨.୫୪ ପ୍ରତିଶତ ।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ପହଂଚିଛି ୧ ଲକ୍ଷ ୫୮ ହଜାର ୧୮୯ରେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ. ଗତ ୨୪ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୫୪, ପଞ୍ଜାବରେ ୧୭ ଏବଂ କେରଳରେ ୧୪ଜଣ ମୃତ୍ୟୁ ବରଣ କରିଛନ୍ତି । ବଡ କଥା ହେଲା ଗତ ୨୪ ଘଂଟା ମଧ୍ୟରେ ୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କରୋନା କାରଣରୁ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ବେଳେ କେରଳରେ ଏହି ସଂଖ୍ୟା ସବୁଠାରୁ ଅଧିକ କମିଛି ।

ଅନ୍ୟପଟେ ଯଦି ଟିକାକରଣ କଥା ଦେଖିବା ତେବେ ଭାରତରେ ଏଯାବତ ୨ କୋଟି ୫୬ଲକ୍ଷ ଟିକା ଦିଆସରିଛି । ଏହି ଟିକାକରଣ ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯାଇ କରୋନା ବିରୋଧରେ ଚାଲିିଥିବା ଲଢେଇକୁ ସଫଳ କରିବା ପାଇଁ ସବୁସ୍ତରରେ ଜୋରଦାର ଉଦ୍ୟମ କରାଯାଉଛି ।