କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୧୦ଟି ରାଜ୍ୟକୁ ଗଲା କେନ୍ଦ୍ରୀୟ ଟିମ : ନିଆଯାଉଥିବା ପଦକ୍ଷେପ ଉପରେ ନଜର ରଖିବ ଟିମ୍

ସେପଟେ ସିଏସଆଇଆର ମହାନିର୍ଦ୍ଦେଶକଙ୍କ ଚେତାବନୀ : କରୋନା ବିପଦ ଟଳିନାହିଁ, ଯଦି ସଂକ୍ରମଣର ତୃତୀୟ ପର୍ଯ୍ୟୟ ଆସେ, ପାଲଟିବ ବେଶୀ ବିପଦପୂର୍ଣ୍ଣ

247

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବା ବେଳେ ଏନେଇ ସତର୍କତା ପଦକ୍ଷେପ ବଢ଼ିଚାଲିଛି । ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯାଇଛି । କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଂଗ, ଛତିଶଗଡ଼, ପଂଜାବ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଜମ୍ମୁକାଶ୍ମୀରକୁ କେନ୍ଦ୍ରୀୟ ଟିମ୍ ଯାଇଛି । ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ଏହି ଟିମର ନଜର ରହିବ । ସଂକ୍ରମଣ ରୋକିବା ପଦକ୍ଷେପକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ବିଭିନ୍ନ ରାଜ୍ୟରୁ ସଂକ୍ରମଣ ବଢ଼ୁଥିବାର ଖବର ଆସୁଛି । ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ରବିବାର ୮ ହଜାର ୬୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର କେରଳରେ ୩ ହଜାର ୭୯୦ ପଜିଟିଭ୍, ପଂଜାବରେ ୫୯୩, କର୍ଣ୍ଣାଟକରେ ୫୨୩, ତାମିଲନାଡୁରେ ୪୮୬, ଗୁଜୁରାଟରେ ୪୫୧ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୬ଟି ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଏହାସହ ମଧ୍ୟପ୍ରଦେଶ ଓ ହରିୟାଣାରେ ପଜିଟିଭ୍ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ତେବେ କିଛିଟା ଆଶ୍ୱସ୍ତିକର ଖବର ମଧ୍ୟ ମିଳିଛି ।

୧୯ଟି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳରେ ଗତ ୨୪ ଘଂଟାରେ କରୋନା ଜନିତ କୌଣସି ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । ଏସବୁ ଭିତରେ କାଉନସିଲ ଫର ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ, ସିଏସଆଇଆର ମହାନିର୍ଦ୍ଦେଶକ ଶେଖର ସି ମାଣ୍ଡେ ଚେତାଇ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ କରୋନା ବିପଦ ଟଳିନାହିଁ । ଯଦି ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆସେ, ଏହା ବେଶୀ ବିପଦପୂର୍ଣ୍ଣ ହେବ, ତେଣୁ ଜଗି ରଖି ଚଳିବାକୁ ହେବ ଓ କରୋନାର ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି ।