ହ୍ରାସ ପାଉଛି କରୋନା ସଂକ୍ରମଣ : ଦୈନିକ ପଜିଟିଭ୍‌ ହାର ୬.୮%କୁ ଖସିଲା

373

କନକ ବ୍ୟୁରୋ : ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ କୋଭିଡ୍‌-୧୯ ପୀଡ଼ିତଙ୍କ ସଂଖ୍ୟା ଦୈନିକ ହାରାହାରି ୬୪ ହଜାର ରହିଛି । ଏହା ପୂର୍ବରୁ ସେପ୍ଟେମ୍ବର ମାସର ଶେଷ ଦୁଇ ସପ୍ତାହରେ ହାରାହାରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ରହି ଆସିଥିଲା । ଏହି ନୂତନ ତଥ୍ୟରୁ ଦେଶରେ କୋଭିଡ୍‌ ସଂକ୍ରମଣ ଧିମେଇ ଆସିଥିବା ଅନୁମାନ କରାଯାଉଛି । ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କୋଭିଡ୍‌ ମୃତକଙ୍କ ସଂଖ୍ୟା କମିଥିବା ଜଣାଯାଇଛି । ତେବେ ୬୬ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଧାରଣ କରିଥିବା ଭାରତ ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍‌ ସଂକ୍ରମିତ ଦେଶର ଅପଯଶ ମୁଣ୍ଡାଇଛି ।

ଅବଶ୍ୟ କୋଭିଡ୍‌-୧୯ର ଆବିର୍ଭାବ ପରଠାରୁ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ଏକ ଶୁଭ ସୂଚନା । ସେପ୍ଟେମ୍ବର ପ୍ରାରମ୍ଭରେ ହାରାହାରି ପ୍ରତି ୩୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଥିବା ବେଳେ ଏବେ ତାହା ୫୬ ଦିନରେ ଘଟୁଛି। ତେବେ କିଛି ହାତ ଗଣତି ରାଜ୍ୟରେ କରାଯାଉଥିବା ନମୁନା ପରୀକ୍ଷଣର ପ୍ରକ୍ରିୟା ହିଁ ଚିନ୍ତାର କାରଣ ହୋଇଛି । ସେ ସବୁ ରାଜ୍ୟମାନଙ୍କରେ ସମ୍ପ୍ରତି କମ୍‌ ସମ୍ବେଦନଶୀଳ ଆଣ୍ଟିଜେନ ପରୀକ୍ଷା ହିଁ ଅଧିକ ମାତ୍ରାରେ ହେଉଥିବା ଜଣାଯାଇଛି । ଏହାଦ୍ବାରା କରୋନା ସଂକ୍ରମିତଙ୍କ ସଂଖ୍ୟା କୃତ୍ରିମ ଭାବେ ଉଲ୍ଲେଖନୀୟ ପରିମାଣର କମିଥିବା ଜଣାଯାଇଛି । ଦିଲ୍ଲୀ ଓ ମୁମ୍ବାଇରୁ ମିଳିଥିବା ତଥ୍ୟରୁ ଆଣ୍ଟିଜେନ ପରୀକ୍ଷଣରୁ ଜଣାପଡ଼ିଥିବା ସଂକ୍ରମିତଙ୍କ ସଂଖ୍ୟା ଆର୍‌ଟି-ପିସିଆର୍‌ ପରୀକ୍ଷଣଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ ‌।