ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଗତ ୫ ଦିନରେ ଏକ ଲକ୍ଷର ନିକଟତର ହେଲାଣି ନୂଆ ସଂକ୍ରମଣ ସଂଖ୍ୟା

173

କନକ ବ୍ୟୁରୋ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣ ଅତି ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଫଳରେ ଦେଶରେ ଏବେ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ଚିନ୍ତଜନକ ଭାବେ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୫ ଦିନରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷରେ ପହଁଚି ଗଲାଣି । ଯାହାକି ଏକ ସତର୍କ ଘଂଟି ପରି ହୋଇଛି । ଗତ ୫ ଦିନରେ ସାରା ଦେଶରେ ମୋଟ୍ ୯୮ ହଜାର ୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଶୁକ୍ରବାର ଦେଶରେ ୨୩ ହଜାର ୨୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତମାନ ସୁଦ୍ଧା ଦୈନିକ ସର୍ବାଧିକ ।

ମାର୍ଚ ମାସରେ ଦେଶରେ ଚିନ୍ତା ବଢାଇଲାଣି ୮ଟି ରାଜ୍ୟର କରୋନା ସଂକ୍ରମଣ । ମହାରାଷ୍ଟ୍ର, ତାମିଲନାଡୁ, ପଂଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଜ, କର୍ଣ୍ଣାଟକ ଏବଂ ହରିୟାଣାରେ ଏବେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ମୋଟ୍ ସଂକ୍ରମଣରୁ ୫ଟି ରାଜ୍ୟରେ କେବଳ ୮୯ ଦଶମିକ ନଅ ଛଅ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ମହାରାଷ୍ଟ୍ର ଓ କେରଳରେ ଏହା ମଧ୍ୟରୁ ୭୧ ପ୍ରତିଶତ ସଂକ୍ରମିତ ଅଛନ୍ତି ।ମହାରାଷ୍ଟ୍ରର ନାଗପୁରରେ ସ୍ଥିତିକୁ ମୁକାବିଲା କରିବାକୁ ସପ୍ତାହେ ବ୍ୟାପୀ ଲକଡାଉନ୍ ଜାରି ହୋଇଛି । ସ୍ଥିତିକୁ ଦେଖି ଆଗକୁ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧କୋଟି ୧୩ଲକ୍ଷ ୮ହଜାର ୮୪୬କୁ ବୃଦ୍ଧି ପାଇଛି । ଦେଶରେ ଦୈନନ୍ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ଶହେରୁ ଅଧିକ ରହୁଛି । କରୋନା ଯୋଗୁଁ ଦିନକରେ ୧୧୭ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ହଜାର ୩୦୬କୁ ବୃଦ୍ଧି ପାଇଛି ।