ଦେଶରେ ପୁଣି ୪୦ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫୪୧ ଜଣଙ୍କ ମୃତ୍ୟୁ

83

କନକ ବ୍ୟୁରୋ : ଏପ୍ରିଲ ଓ ମେ ମାସ ତୁଳନାରେ ଏବେ ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ହେଲେ ବି ଦୈନିକ ସଂକ୍ରମଣ ୪୦ ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୪୧.୮୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୧ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ମୋଟ ୩,୦୮,୨୦,୫୨୧ ଜଣ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ ସୁସ୍ଥକଙ୍କ ସଂଖ୍ୟା ୩୯,୨୫୮ ରହିଛି । ହେଲେ ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥକଙ୍କ ସଂଖ୍ୟା କମ ରହିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଅନ୍ୟପଟେ ଏବେ ଦେଶରେ ୪.୧୦,୯୫୨ ଆକ୍ଟିଭ କେସ ରହିଥିବା ବେଳେ ୪ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି । ଏହାସହ ଟିକାକରଣ ଅଭିଯାନ ଉପରେ ଯଦି ନଜର ପକାଇବା ତେବେ ୪୭.୦୨ କୋଟି ଖୋରାକ ଦିଆଯାଇଛି   । ଯାହା ମଧ୍ୟରେ ଗତ ୨୪ ଘଂଟାରେ ୬୦,୧୫,୮୪୨ ଜଣଙ୍କୁ ଟିକା ଦିଆଯାଇଛି ।

କହିରଖୁ କି କରୋନା ସଂକ୍ରମଣ ମାମଲାରେ ସାରା ଦେଶରେ ସଂକ୍ରମଣ ହାର କମୁ୍ଥିବା ବେଳେ ପୁଣି ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଛନ୍ତି । ସେମାନେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗସ୍ତ କରି ସଂକ୍ରମଣର କାରଣ ଓ ନିରାକରଣ ଉପରେ ଅନୁଧ୍ୟାନ କରୁଛନ୍ତି ।