ସାମନାକୁ ଆସିଲା ଜଣେ କରୋନା ଯୋଦ୍ଧାଙ୍କ ବୀରତ୍ୱର କାହାଣୀ । ଡ୍ୟୁଟିରେ ଯୋଗ ନଦେବା ପାଇଁ ଚାପ ପକାଇଥିଲେ ପରିବାର ସଦସ୍ୟ, ହେଲେ ରାଜଧର୍ମ ଆଗ ବୋଲି କହିଥିଲେ ହରିହର ଲେଙ୍କା । କରୋନାରେ ଆକ୍ରାନ୍ତ ହେବା ପରେ ଚାଲିଗଲା ଜୀବନ ।

601

କନକ ବ୍ୟୁରୋ: ହରିହର ଲେଙ୍କା । ଟ୍ରେନ ସୁପରିନ୍ଟେଣ୍ଡେଂଟ । ମେ ୧୨ ତାରିଖରେ ସରକାରଙ୍କ ପକ୍ଷରୁ ଡକରା ଆସିଲା କାମରେ ଯୋଗ ଦେବା ପାଇଁ । ଘରେ ସମସ୍ତେ ମନା କଲେ, କରୋନା ଆସିଛି, ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ସମସ୍ତେ ଜିଦ୍ ଧରିଲେ ଚାକିରି ପଛେ ଛାଡିଦିଅ, ହେଲେ ଟ୍ରେନକୁ ଯାଅ ନାହିଁ । କିନ୍ତୁ ହରିହରଙ୍କ ଉତର ଏବେ ବି ସମସ୍ତଙ୍କ ମନେ ଅଛି । କହିଥିଲେ, ରାଜଧର୍ମ ଆଗ । ଅର୍ଥାତ୍ ଯେଉଁ କାମ ପାଇଁ କଥା ଦେଇଛନ୍ତି, ସେହି ଧର୍ମରକ୍ଷା ପ୍ରଥମ । ଏହା କହି କାମକୁ ବାହାରିଯାଇଥିଲେ ହରିହର ।

ମେ ୧୫ ତାରିଖରେ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଗସ୍ତ କରିଥିଲେ ନିଜ ଦାୟିତ୍ୱ ସମ୍ପାଦନ କରିବା ପାଇଁ ହରିହର । କିନ୍ତୁ ଜୁନ ୧୫ ତାରିଖରେ ତାଙ୍କର ନମୁନା କରୋନା ପଜିଟିଭ୍ ବାହାରିଥିଲା । ଫଳରେ ସେ ସ୍ଥାନୀୟ ଅଶ୍ୱିନ ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ ଗତ ୨୧ ତାରିଖ ଦିନ ତାଙ୍କ ପରଲୋକ ହୋଇଥିଲା । ନିଜ କର୍ତବ୍ୟ ସଂପାଦନ କରିବା ଯାଇ ପ୍ରାଣ ହରାଇଛନ୍ତି ହରିହର ।

ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଛିଡିପଡିଛି । ବାପାଙ୍କ କରୋନା ମୃତ୍ୟୁ ପରେ ପରେ ମାଆ ଏବେ କରୋନା ଆକ୍ରାନ୍ତ । ଏବେ ପରିବାରର ଅନ୍ୟମାନଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି ।