ଓମିକ୍ରନ ସହ ଶେଷ ହେବନି କରୋନା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଲେ, ପୁଣି ଆସିବ ନୂଆ ଭାରିଆଣ୍ଟ
ବିଭିନ୍ନ ଦେଶରେ ଏବେ ସୁଧୁରିଛି ସ୍ଥିତି, ହେଲେ ଟିକା ନେବା ନିହାତି ଆବଶ୍ୟକ
କନକ ବ୍ୟୁରୋ : ଓମିକ୍ରନ୍ ସହ ଶେଷ ହେବ ନାହିଁ କରୋନା ମହାମାରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି, ପୁଣି ଆସିବ କରୋନାର ନୂଆ ଭାରିଆଣ୍ଟ । ଆଶ୍ୱସ୍ତିକର ଖବର ହେଉଛି ଯେ, ଏବେ ବିଶ୍ୱର ଅନେକ ଦେଶରେ ବର୍ତମାନ ସ୍ଥିତି ସୁଧୁରୁଛି । ହେଲେ ଟିକାକରଣ ନିହାତି ଆବଶ୍ୟକ । କାରଣ ଯେଉଁଠି ଟିକାକରଣ କମ୍ ରହିଛି, ସେଠାରେ ସଂକ୍ରମଣର ବିପଦ ଅନେକ ଗୁଣା ବୃଦ୍ଧି ପାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଟିକା ନେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ । ଏହା ସହ ସେ କହିଛନ୍ତି, ଓମିକ୍ରନ୍ ଯୋଗୁ ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଆମେରିକାରେ ଗୋଟିଏ ଦିନରେ ୫ ଲକ୍ଷ ୪୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ୧ ହଜାର ୭୨୦ ଜଣଙ୍କ ଜୀବନ ଯାଇଛି । ସେହିପରି ବ୍ରାଜିଲରେ ୧ ଲକ୍ଷ ୩୨ ହଜାର ଲୋକ ଦିନକରେ ସଂକ୍ରମିତ ହୋଇଛନ୍ତି ।
ସେପଟେ, ଟିକା ନେବାର ୬ ମାସ ପରେ ୩୦% ଲୋକଙ୍କର ଆଣ୍ଟିବଡି ସ୍ତର ଓ ପ୍ରତିରୋଧକତା କମିଯାଉଛି। ଏହି ୩୦% ହେଉଛନ୍ତି ଉଚ୍ଚ ରକ୍ତଚାପ, ଡାଇବେଟିସ୍ ପରି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ଲୋକ । ବାକି ୭୦% ଯୁବବର୍ଗଙ୍କ ପ୍ରତିରୋଧକତା ୬ ମାସ ପରେ ବି ଅକ୍ଷୁଣ୍ଣ ରହୁଛି । ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ଏବଂ ଏସିଆନ ହେଲ୍ଥ କେୟାର ଫାଉଣ୍ଡେସନ ଗବେଷଣାରୁ ଉକ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ୧,୬୩୬ ଜଣ ସମ୍ପୂର୍ଣ୍ଣ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା ।
୬ ମାସରେ ପ୍ରତିରୋଧକତା ହରାଉଥିବା ବୟସ୍କ ଲୋକମାନେ ୬ ମାସ ପରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ। ତେଣୁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଉଚିତ ବୋଲି ଅନୁଧ୍ୟାନର ନିଷ୍କର୍ଷ ଭାବେ ମତ ପ୍ରଦାନ କରାଯାଇଛି । ବର୍ତ୍ତମାନ ୯ ମାସ ପରେ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବୁଷ୍ଟର ନେଇପାରିବ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଏହା ସେହି ୭୦ ପ୍ରତିଶତ ଯୁବବର୍ଗଙ୍କୁ ସୁରକ୍ଷା ଦେଇପାରିବ ଯେଉଁମାନଙ୍କ ପ୍ରତିରୋଧକତା ୬ ମାସ ପରେ ବି ରହୁଛି। ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କମାନଙ୍କୁ ୬ ମାସ ପରେ ବୁଷ୍ଟର ଦେବା ଉଚିତ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।