ସ୍ୱାଭାବିକ ହେଉଛି ଉହାନ, ବିଗୁଡୁଛି ଆମେରିକା ସ୍ଥିତି । ଦିନକରେ ହେଲାଣି ୨ ହଜାର ୪୯୪ ଜଣଙ୍କ ମୃତ୍ୟୁ, ସ୍ପେନ୍ ଇଟାଲୀ ଓ ଫ୍ରାନ୍ସରେ ବି ସ୍ଥିତି ଉଦବେଗଜନକ ।

1,187

କନକ ବ୍ୟୁରୋ ଗୋଟିଏ ପଟେ କରୋନା ଭୂତାଣୁର ଉତ୍ପତି ସ୍ଥଳ ଉହାନରେ ସ୍ଥିତି ସ୍ୱାଭାବିକ ହେଉଛି । ଅନ୍ୟପଟେ ଆମେରିକା ସମେତ ସ୍ପେନ, ଇଟାଲୀ ଓ ଫ୍ରାନ୍ସରେ ସ୍ଥିତି ଉଦବେଗଜନକ ହୋଇଛି । ଆମେରିକାରେ ଗତ ୨୪ଘଂଟାରେ ୨ହଜାର ୪୯୪ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ଭୂତାଣୁର ଉତ୍ପତି ସ୍ଥଳ ଚୀନ୍ ଉହାନରେ ସ୍ଥିତି ସ୍ୱାଭାବିକ ହୋଇଛି । ଏପରିକି ଉହାନର ଡାକ୍ତରଖାନାରେ ଗୋଟିଏ ବି ନୂଆ କରୋନା ସଂକ୍ରମିତ ନଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଡିସେମ୍ବରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାକୁ ଲାଗିଲା ଫଳରେ ଉହାନରେ ତାଲାବନ୍ଦ କରାଯାଇଥିଲା । ଉହାନରେ କରୋନା ସଂକ୍ରମଣରେ ୪୬ହଜାର ୪୫୨ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର୮୬୯ଜଣଙ୍କ ମୃତ୍ୟୁ ହୋଇଛି । ପରେ ପରେ ସ୍ଥିତି ସ୍ୱାଭାବିକ ହେବା ପରେ କଟକଣା ହଟିଛି ।

ଗୋଟିଏ ପଟେ ଚୀନ୍ରେ ପରିସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଅପରପକ୍ଷରେ ସାରା ବିଶ୍ୱରେ କାୟା ବିସ୍ତାର କରୁଛି ଏହି ଭୂତାଣୁ । ବିତଶାଳୀ ରାଷ୍ଟ୍ର ଆମେରିକାକୁ ବି ଅସହାୟ କରିପକାଇଛି । ଆମେରିକାର ନ୍ୟୁୟର୍କରେ ସ୍ଥିତି ଉଦବେଗଜନକ ହୋଇଛି । ସମଗ୍ର ଆମରେିକାରେ ୯ଲକ୍ଷ ୬୦ହଜାର କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଟପିଛି ୫୪ହଜାର । ଗତ ୨୪ଘଂଟାରେ ୨ହଜାର ୪୯୪ଜଣଙ୍କ ମୃତ୍ୟୁ ହୋଇଛି । ଏହାବାଦ୍ ଆମେରିକାର କେତେକ ସ୍ଥାନରେ ତାଲାବନ୍ଦକୁ କୋହଳ କରାଯାଇଛି । ଯାହା ଆଗକୁ ଚିନ୍ତା ଆହୁରୀ ବଢାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଆମେରିକା ପରେ ଦ୍ୱିତୀୟରେ ରହିଛି ସ୍ପେନ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୩ହଜାର ଓ ମୃତକଙ୍କ ସଂଖ୍ୟା ୨୨ହଜାର ୯ଶହ ଟପିଛି । ଏହାପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୫ହଜାର ପହଂଚିଥିବା ବେଳେ ୨୬ହଜାର ୩ଶହରୁ ଅଧିକ ଲୋକ ଜୀବନ ହାରିଛନ୍ତି । ସେହିପରି ଫ୍ରାନ୍ସରେ ୧ଲକ୍ଷ ୬୧ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୨ହଜାର ଳୋକଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ଲକ୍ଷ ୩୪ହଜାର ଟପିଥିବା ବେଳେ ୨ଲକ୍ଷ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।