ଦେଶରେ ବଦଳିଲା ଟିକାକରଣ ନିୟମ । ଏବେ କୋ-ୱିନ୍ ଆପରେ ପଞ୍ଜିକରଣ ନକରି ସିଧା ଟିକାକରଣ କେନ୍ଦ୍ରକୁ ଯାଇ ନେଇପାରିବେ ଟିକା ।   

505

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ସାମାନ୍ୟ କମ ହୋଇଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । କରୋନା ବିରୋଧରେ ଚାଲିଥିବା ଏହି ଲଢେଇରେ ଟିକାକୁ ସୁରକ୍ଷା କବଚ ଭାବେ ମାନିବାକୁ ପଡୁଛି । ଏଣୁ ସରକାର ଦେଶର ସମସ୍ତ ନାଗରିକଙ୍କୁ ଟିକା ଦେବା ନେଇ ଅଭିଯାନ ଚଳାଇଛନ୍ତି । ସମସ୍ତ ନାଗରିକଙ୍କ ପାଖରେ ଟିକା ପହଂଚାଇବାକୁ ସରକାର ଟିକାକରଣ ନିୟମରେ ସଂଶୋଧନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କ ସୁବିଧା ପାଇଁ ଟିକାକରଣ ପାଇଁ କୋ-ୱିନ କିମ୍ବା ଅନ୍ୟ ଆପ୍ ମାଧ୍ୟମରେ ହେଉଥିବା ବାଧ୍ୟତାମୂଳକ ପଞ୍ଜିକରଣ ନିୟମକୁ ବଦଳାଇଛନ୍ତି । ସରକାରଙ୍କ ନୂଆ ନିୟମ ମୁତାବକ କୌଣସି ବ୍ୟକ୍ତି ସିଧା ଟିକାକରଣ ଯାଇ ସେହିଠାରେ ପଞ୍ଜିକରଣ କରି ଟିକା ନେଇ ପାରିବ ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି କି, ଆଶା କର୍ମୀମାନେ ସମସ୍ତ ଗ୍ରାମୀଣ ଅଞ୍ଚଳ ଓ ଅପହଂଚ ଇଲାକାରେ ପହଂଚି ଲୋକମାନଙ୍କ ଅନ ସାଇଟ୍ ପଞ୍ଜିକରଣ ବାବାଦରେ ସଚେତନ କରାଇବେ । କହିରଖୁ କି ଟିକା ନେବାକୁ ଆଗ୍ରହୀ ଥିବା ଅନେକ ଲୋକ ଅନଲାଇନ ପଞ୍ଜିକରଣ ବାବଦରେ ଜାଣି ନଥିବାରୁ  ସେମାନେ ପଞ୍ଜିକରଣ କରିପାରୁ ନାହାନ୍ତି ଓ ଟିକା ନେବାରୁ ବଞ୍ଚିତ ହେଉଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ମୁତାବକ ଜୁନ ୧୩ ତାରିଖ ସୁଦ୍ଧା କୋ-ୱିନ୍ ଆପରେ ହୋଇଥିବା ମୋଟ ୨୮.୩୦ କୋଟି ପଞ୍ଜିକରଣରୁ ଅନ ସାଇଟ୍ ରେ ୧୬.୪୫ କୋଟି ଲୋକ ପଞ୍ଜିକରଣ କରିଛନ୍ତି । ଦେଶରେ କରୋନା ଟିକାକରଣ ଅଭିଯାନ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୬ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି ।