କରୋନା ଉଜାଡି ଦେଲା ପରିବାର । କୁନି କୁନି ଝିଅଙ୍କ ଠାରୁ ବାପାଙ୍କୁ ଛଡେଇ ନେଲା ମହାମାରୀ ।

166

କନକ ବ୍ୟୁରୋ: କରୋନା ଉଜାଡି ଦେଲା ହସ ଖୁସିର ପରିବାର । ଏହି ଦୁଇ କୁନି ଝିଅଙ୍କ ଠାରୁ ବାପାଙ୍କୁ ଛଡେଇ ନେଲା ମହାମାରୀ ଭୁତାଣୁ । ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ବାପାଙ୍କ ଫଟୋ ଧରି ଉଦାସ ହୋଇ ଯାଉଛି କୁନି ଝିଅ । ପୁରୀ ଜିଲ୍ଲା କାକଟପୁର ବ୍ଲକ କୁରୁଜଙ୍ଗା ଗାଁର ଚନ୍ଦ୍ର ଶେଖର ମହାନ୍ତି ଶୋକ ସାଗରରେ ପୁରା ପରିବାରକୁ ଭସେଇ ଆରପାରିକୁ ଚାଲିଯାଇଛନ୍ତି । ସ୍ୱାମୀ ଚାଲିଗଲା ପରେ ଦୁଇ କୁନି ଝିଅଙ୍କ କେମିତି ଦିନକୁ ଦୁଇମୁଠା ଦେଇ ବଡ ମଣିଷ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ବିଧବା ପତ୍ନୀ ।

ପୁଅର ଫଟୋକୁ ହାତରେ ଧରି କୋହ ସମ୍ଭାଳି ପାରୁ ନାହାନ୍ତି ବାପା । ଏକ ମାତ୍ର ପୁଅକୁ ହରାଇବାର ଦୁଃଖରେ ଭାଙ୍ଗି ପଡିଛନ୍ତି ଗୌରାଙ୍ଗ ମହାନ୍ତି । କଲିକତାରେ ଏକ ଘରୋଇ କଂପୀନରେ ଚାକିରୀ କରୁଥିଲେ ଚନ୍ଦ୍ର ଶେଖର । ଏହି ସମୟରେ ମାଆଙ୍କ ମୃତ୍ୟୁ ଖବର ଶୁଣି ମାଆଙ୍କ ଶୁଦ୍ଧିକ୍ରିୟା କରିବାକୁ ସେ ଗାଁକୁ ଆସିଥିଲେ । ଆଉ ଶୁଦ୍ଧିକ୍ରିୟା ପରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଜୁନ ୧୬ ତାରିଖରେ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇଯାଇଛି ।

ଚନ୍ଦ୍ର ଶେଖରଙ୍କ ଦେହାନ୍ତ ପରେ ଅସହାୟ ହୋଇପଡିଛନ୍ତି ପୁରା ପରିବାର । ଘରେ ଏବେ ବୁଢାବାପା, ଦୁଇ କୁନି ଝିଅଙ୍କୁ ନେଇ କେମିତି ଚଳିବେ ବୁଝା ପାରୁ ନାହାନ୍ତି ଚନ୍ଦ୍ରଶେଖର ବିଧବା ପତ୍ନୀ ।