୪୦ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ରୟଟର ସର୍ଭେ । ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର ।

297

କନକ ବ୍ୟୁରୋ: ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଭିତରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର, ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ମହାରାଷ୍ଟ୍ରର ରାଜ୍ୟ କୋଭିଡ୍ ଟାସ୍କଫୋର୍ସ ପୂର୍ବାନୁମାନ କରିଥିଲା, ଯେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ସେଠାରେ ତୃତୀୟ ଲହର ଆସିପାରେ । କିନ୍ତୁ ବିଶ୍ୱର ୪୦ ଜଣ ବିଶେଷଜ୍ଞ ଯେଉଁ ମତ ଦେଇଛନ୍ତିି,ସେଥିରୁ ଭିନ୍ନ ତଥ୍ୟ ସାମନାକୁ ଆସିଛି ।

ଜୁନ୍ ୩ ତାରିଖରୁ ୧୭ ତାରିଖ ମଧ୍ୟରେ ବିଶ୍ୱର ୪୦ଜଣ ବିଶିଷ୍ଟ ହେଲଥ କେୟାର ସ୍ପେଶାଲିଷ୍ଟ, ଡାକ୍ତର, ବୈଜ୍ଞାନିକ,ଭୂତାଣୁ ବିଶେଷଜ୍ଞ , ମହାମାରୀ ବିଶେଷଜ୍ଞଙ୍କୁ ନେଇ ଏହି ସର୍ଭେ କରିଛି । ଭାରତର ବରିଷ୍ଠ ଚିକିତ୍ସକ ଡାକ୍ତର ଦେବୀ ସେଟ୍ଟୀ ଓ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ଏଥିରେ ସାମିଲ ଥିଲେ । ତେବେ ନଜର ପକାନ୍ତୁ, ସର୍ଭେର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ..

  •  ୮୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି
  • ୧୨ ପ୍ରତିଶତ ବିଶେଷଜ୍ଞ କହିଥିଲେ ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ତୃତୀୟ ଲହର ଆସିପାରେ
  • ୭୦ ପ୍ରତିଶତ ବିଶେଷଜ୍ଞ କହିଥିଲେ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ
  • ଟିକାକରଣ କାରଣରୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ
  • ଦୃଇ ତୃତୀୟାଂଶ ଡାକ୍ତର କହିଥିଲେ ଛୋଟ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି
  • ଛୋଟ ପିଲା ପ୍ରଭାବିତ ହେବାର କାରଣ ସେମାନଙ୍କ ପାଇଁ ଟିକା ଆସିପାରିନାହିଁ
  • ୪୦ ରୁ ୧୪ ବିଶେଷଜ୍ଞ ଅର୍ଥାତ ପ୍ରାୟ ୩୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଛୋଟ ପିଲାଙ୍କୁ ଆଦୌ ବିପଦ ନାହିଁ
  • ୬୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଟିକା ନେଇଥିବା ବ୍ୟକ୍ତିଙ୍କୁ ତୃତୀୟ ଲହର ବିପଦ ହେବ ନାହିଁ
  • ୭୩ ପ୍ରତିଶତ ବିଶେଷଜ୍ଞ କହିଥିଲେ ଆହୁରି ଏକ ବର୍ଷ ଯାଏ କରୋନାର ଭୟ ରହିବ

ଭାରତରେ ଦ୍ୱିତୀୟ ଲହର ମାରାତ୍ମକ ହେବାରୁ ସାରା ବିଶ୍ୱର ବିଶେଷଜ୍ଞମାନେ ଭାରତର ତୃତୀୟ ଲହରକୁ ନେଇ ଅଧ୍ୟୟନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଆହୁରି ଏକ ବର୍ଷ ଯାଏ ଆମ ଦେଶରେ କରୋନାର ପ୍ରଭାବ ଜାରି ରହିବ । ତେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ, ଟିକାକରଣ ଆହୁରି ବଢ଼ିବ ଏବଂ ଦ୍ୱିତୀୟ ଲହର କାରଣରୁ ଅନେକଙ୍କ କ୍ଷେତ୍ରରେ ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥିବ । ତେଣୁ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ମୁକାବିଲା କରାଯାଇପାରିବ । ସେହିପରି ନାରାୟଣ ହେଲଥ ଇନଷ୍ଟିଚ୍ୟୁଟର ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ କହିଥିଲେ, ଯଦି ଛୋଟ ପିଲା ଅନେକ ସଂଖ୍ୟାରେ ଆକ୍ରାନ୍ତ ହୁଅନ୍ତି, ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ନଥିବା, ତେବେ ଶେଷ ମୂହୂର୍ତ୍ତରେ କିଛି କରାଯାଇ ପାରିବ ନାହିଁ ।