ଥମୁନାହିଁ କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ । ୩,୨୯୩ ଜଣଙ୍କ ମୃତ୍ୟୁ

173

କନକ ବ୍ୟୁରୋ : ଯେତେବେଳେ ସାରା ଦୁନିଆରେ କରୋନା ସଂକ୍ରମଣର ହାର ହ୍ରାସ ପାଉଛି ସେତେବେଳେ ଭାରତରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ୩,୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୨,୬୧,୧୬୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସୂଚନା ଥାଉକି ଏବେ ଦେଶରେ ମୋଟ କରୋନା ସଂକ୍ରମିିତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୨୯ ଲକ୍ଷ ୭୮ ହଜାର ୭୦୯ ରହିଛି   । ସେହିଭଳି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୦୧ ହଜାର ୧୮୭ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ କରୋନା ବିରୋଧରେ ଜାନୁଆରୀ ୧୬ ତାରିଖରୁ ଚାଲିଥିବା ଟିକାକରଣ ଅଭିଯାନରେ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ଦେଶରେ ୧୪ କୋଟି ୭୮ ଲକ୍ଷ ୨୭ ହଜାର ୩୬୭ ଜଣଙ୍କୁ ଟିକା ଦିଆ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାୟର ସୂଚନା ମୁତାବକ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧.୧୨ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୮୨ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି । ଆକ୍ଟିଭ କେସ୍ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ ମାମଲାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଅନ୍ୟପଟେ ଆମେରିକା,ବ୍ରାଜିଲ, ମେକସିକୋ ପରେ ଭାରତରେ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।