ଜୁନ୍ ଆଣିପାରେ ଭଲ ଖବର । ଓଡ଼ିଶାରେ କମୁଛି ସଂକ୍ରମଣ ହାର, ଗତ ୪୧ ଦିନରେ ସର୍ବନିମ୍ନ ସ୍ତରକୁ ଆସିଲା କରୋନା । ଓଡ଼ିଶାରେ ପଜିଟିଭ୍ ହାର ୧୩.୫ ପ୍ରତିଶତକୁ ଖସିଲା ।

292

କନକ ବ୍ୟୁରୋ: ଲକଡାଉନ ଭିତରେ ପୁରା ମେ’ ମାସ କଟିବା ପରେ ଶେଷ ଦିନରେ ଆସିଛି ଖୁସି ଖବର । ଯେତେବେଳେ ରାଜ୍ୟର ପଜିଟିଭ ହାର୍ ୧୩.୪୯ ପ୍ରତିଶତକୁ ଖସି ଆସିଛି । ଯଦିଓ ରାଜ୍ୟ ସରକାର ଲକଡାଉନକୁ ୧୭ ଜୁନ ଯାଏଁ ବୃଦ୍ଧି କରିଛନ୍ତି, ତା ଆଗରୁ ସଂକ୍ରମଣର ସଂଖ୍ୟା କମିବା ଆଣିଛି ଶୁଭ ସଂକେତ ।

  • ଟେଷ୍ଟ – ୬୧, ୬୧୩
  • ପଜିଟିଭ- ୮୩୧୩
  • ପଜିଟିଭ ହାର – ୧୩.୪୯%

ମେ’ ୩୧ରେ ଏହା ହେଉଛି ରାଜ୍ୟର କରୋନା ସଂକ୍ରମଣର ସ୍ଥିତି । ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ଆଜିର ଦିନରେ ବି ଚିନ୍ତାଜନକ ରହିଛି । ଗତ ୨୪ ଘଂଟାରେ ୩୫ ଜଣଙ୍କର ମୃତ୍ୟୁ ହେବା ଏକ ବଡ ଆହ୍ୱାନ ସାମ୍ନାକୁ ଆଣିଛି । ସରକାରୀ ତଥ୍ୟ ଅନୁସାରେ, ୨୨ ମେ’ରେ ସଂକ୍ରମଣର ସବୁଠାରୁ ଭୟଙ୍କର ସଂଖ୍ୟା ଦେଖିଥିଲା । ଆଉ ଏହା ପରଠାରୁ ପଜିଟିଭ ହାରରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ମେ ୧ ରେ ରାଜ୍ୟରେ ପଜିଟିଭ ହାର ୨୨% ଥିବା ବେଳେ ୭ରେ ସର୍ବାଧିକ ୨୪%, ୧୦ ରେ ୨୧ %, ୨୦ ରେ ୧୯% ଏବଂ ୩୧ ମେ ବେଳକୁ ଏହା ୧୩.୪୯%କୁ ଖସି ଆସିଛି । ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେଉଁ ହାରରେ ସଂଖ୍ୟା ବଢିଚାଲିଥିଲା, ତାକୁ ଧୀରେ ଧୀରେ ନିୟନ୍ତ୍ରଣକୁ ଅଣାଯାଇ ପାରିଛି ।

କୈାଣସି ବି ଜିଲ୍ଲାରେ ଗତ ୨୪ ଘଂଟାରେ ଆକ୍ରାନ୍ତ ସଂଖ୍ୟା ୧୦୦୦ ଅତିକ୍ରମ କରିନାହିଁ । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି କଟକ । ଅର୍ଥାତ୍ ଏହି ଦୁଇ ଜିଲ୍ଲାରେ ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ସରକାରଙ୍କ ପାଇଁ ଚ୍ୟାଲେଂଜ ହୋଇପାରେ ।ପୁରା ମେ’ ମାସରେ ରାଜ୍ୟରେ ୩ ଲକ୍ଷ ୨୦ ହଜାର ୮୦୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ମେ ମାସରେ ରାଜ୍ୟ ସବୁଠାରୁ ଅଧିକ କ୍ଷତି ସହିଛି ।

ସେପଟେ ଦେଶରେ ମଧ୍ୟ ଗତ ୨୪ ଘଂଟାରେ ସଂଖ୍ୟା କମିଛି । ଏପ୍ରିଲ ୯ ପରେ ସବୁଠାରୁ କମ ପଜିଟିଭ ଚିହ୍ନଟ ହୋଇଛି । ସୋମବାର ସକାଳ ୮ ଟା ସୁଦ୍ଧା ୧.୫୨ ଲକ୍ଷ ଆକ୍ରାନ୍ତ ଠାବ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୩୧୨୮ । ସଂଖ୍ୟା ଆୟତ୍ତକୁ ଆସିଥିବା ବେଳେ ବିଭିନ୍ନ ରାଜ୍ୟ ଅନଲକର ପର୍ଯ୍ୟାୟକୁ ଆସିଥିଲେ ହେଁ କିଛି ରାଜ୍ୟ ଲକଡାଉନ ଅବଧିକୁ ବଢାଇଛନ୍ତି ।