ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ । ବ୍ରିଟେନରେ ଆତଙ୍କିତ ଲୋକେ ।

256

କନକ ବ୍ୟୁରୋ: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାବିଦଙ୍କ ସୂଚନା ମୁତାବକ, ଏଯାଏଁ ଦେଶରେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ୩୩୬ଟି ମାମଲା ଆସିଲାଣି । ଇଂଲଣ୍ଟରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଦେଖାଦେଇଛି କାରଣ ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଖବର ରହିଛି । ଇଂଲଣ୍ଡରେ ଏବେ ଯାଏଁ ୨୬୧ ମାମଲା ସାମ୍ନାକୁ ଆସିଛି ।

ବିଶ୍ୱର ୩୮ଟି ଦେଶ କରୋନାର ନୁଆ ଭ୍ୟାରିଆଣ୍ଟ କବଳକୁ ଆସିଗଲାଣି । ଦକ୍ଷିଣ ଆଫିକାରେ ପ୍ରଥମେ ଏହି ସଂକ୍ରମଣ ଆରମ୍ଭ ହେବା ପରେ ଆମେରିକା, ବ୍ରିଟେନ, ୟୁରୋପ, ଭାରତରେ ମଧ୍ୟ ଏହି ଭ୍ୟାରିଆଣ୍ଟ ସଂକ୍ରମଣ ମାଡିଗଲାଣି । ସାଜିଦ୍ ଜାବିଦଙ୍କ ସୂଚନା ମୁତାବକ, ବ୍ରିଟେନରେ ଏପରି କିଛି ବ୍ୟକ୍ତିଙ୍କ ଠାରେ ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି , ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଏପରି ସ୍ଥଳେ ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି କହିଛନ୍ତି ସାଜିଦ୍ ଜାବିଦ । ତେବେ ଏହି ଭ୍ୟାରିଆଣ୍ଟକୁ ନେଇ ଅନେକ ଖବର ଆସୁଥିଲେ ବି ଏହା କେତେ କ୍ଷତିକାରକ, ଏହା ଉପରେ ଟିକା ପ୍ରଭାବଶାଳୀ ହେବ କି ନାହିଁ ସେନେଇ କୌଣସି ସୂଚନା ଏଯାଏଁ ମିଳିନାହିଁ । ଏହାର ସଠିକ୍ ତଥ୍ୟ ପାଇଁ ବିଶ୍ୱର ବୈଜ୍ଞାନିକ ମାନେ ଲାଗିପଡିଛନ୍ତି । ଏପରି ସ୍ଥଳେ ସତର୍କତା ଓ କଟକଣା ହିଁ ଏକ ମାତ୍ର ବିକଳ୍ପ ବୋଲି କହିଛନ୍ତି ସାଜିଦ୍ ଜାବିଦ ।