ସାଉଥ୍ ଆଫ୍ରିକାରେ ପୁଣି ବଢ଼ିଲା କରୋନା: ବିଏ-୪ ଓ ବିଏ-୫ ସବ୍ ଭାରିଆଂଟ କରୁଛି ସଂକ୍ରମଣ

92

କନକ ବ୍ୟୁରୋ: ଭାରତରେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ବେଳେ ଚତୁର୍ଥ ଲହର କେବେ ଆସିବ ତାକୁ ନେଇ ଆଶଙ୍କା ଓ ଆକଳନ ଜାରି ରହିଛି । ଏସବୁ ଭିତରେ ଦକ୍ଷିଣ ଆଫ୍ରିକାରୁ ଆସିଛି ଚିନ୍ତାଜନକ ଖବର । ଏଠାରେ କରୋନାର ପଂଚମ ଲହର ଆରମ୍ଭ ହୋଇଯାଇଥିବା କୁହାଯାଉଛି ।

ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂକ୍ରମିତଙ୍କ ମଧ୍ୟରୁ ବହୁ ସଂଖ୍ୟାକ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଓମିକ୍ରନ ଆରମ୍ଭରୁ ଦକ୍ଷିଣ ଆଫ୍ରିକାରେ ଯେଉଁଭଳି ଟ୍ରେଂଡ ଦେଖାଯାଇଥିଲା ଏବେ ଠିକ୍ ସେହିପରି କିଛି ଦେଖିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକାରେ ଗୋଟିଏ ସପ୍ତାହ ଭିତରେ ତିନି ଗୁଣା କରୋନା ସଂକ୍ରମଣ ବୃଦ୍ଧି ପାଇବା ଏବେ ଚିନ୍ତା ବଢ଼ାଇ ଦେଇଛି । କୁହାଯାଉଛି ଯେ, ଏଠାରେ ଆରମ୍ଭ ହୋଇଯାଇଛି କରୋନାର ପଂଚମ ଲହର । ଡିସେମ୍ବର ପରଠାରୁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବେଶ୍ କମି ଯାଇଥିଲା । କିନ୍ତୁ ଗତ ସପ୍ତାହକ ଭିତରେ ତିନି ଗୁଣା ସଂକ୍ରମଣ ବଢ଼ିଯାଇଛି । ଚିନ୍ତାର କଥା ହେଉଛି, ବହୁ ସଂଖ୍ୟାରେ ସଂକ୍ରମିତ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଓମିକ୍ରନର ବିଏ-ଫୋର ଓ ବିଏ-ଫାଇଭ୍ ଉପପ୍ରଜାତି ଏହି ସଂକ୍ରମଣର କାରଣ ପାଲଟିଛି । ଏହି ଦୁଇ ସବ-ଭାରିଏଂଟ କେତେକ କ୍ଷେତ୍ରରେ ଶରୀରର ପ୍ରାକୃତିକ ରୋଗପ୍ରତିରୋଧକ କ୍ଷମତାକୁ ଭେଦ କରିବାରେ ସକ୍ଷମ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଟିକାକରଣ ମଧ୍ୟ ଖୁବ୍ କମ୍ ରହିଛି । କେବଳ ୩୦ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି ।

ଓମିକ୍ରନ ସଂକ୍ରମଣ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିଲା ଏବଂ ପରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । ତେଣୁ ଏବେ ସେଠାରେ ସଂକ୍ରମଣ ହଠାତ୍ ବଢ଼ିବା ଭାରତ ଉପରେ କେତେ ପ୍ରଭାବ ପକାଇବ ତାକୁ ନେଇ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ।

ଭାରତରେ ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବା ବେଳେ ସଂକ୍ରମଣ ହାର ଦୁଇ ମାସ ପରେ ୧ ପ୍ରତିଶତ ଟପିଯାଇଛି । ଗୋଟିଏ ଦିନରେ ଦେଶରେ ୨ ହଜାର ୫୬୮ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦେଶରେ ଆକ୍ଟିଭ୍ କେସ୍ ଅପେକ୍ଷାକୃତ ଭାବେ କମ୍, କେବଳ ୧୯ ହଜାର ୧୧୩ ରହିଛି ।