କରୋନା ବଦଳାଇ ଦେଲା ଜୀବନର ମୋଡ । ସୁରତରୁ ଫେରି ଗାଁରେ ଚାଷ କରି ସ୍ୱାବଲମ୍ବୀ ଶ୍ରୀଧର

145

କନକ ବ୍ୟୁରୋ: କରୋନା ବଦଳାଇଦେଲା ଜୀବନର ମୋଡ । ଦାଦନ ଶ୍ରମିକରୁ ପାଲଟିଗଲେ ଚାଷୀ । ପଡିଆ ପଡିଥିବା ଜମିକୁ କରିଛନ୍ତି ଶସ୍ୟ ଶାମଳା, ତାସହ କରିଛନ୍ତି କଡକନାଥ କୁକୁଡା ଚାଷ । ଯାହା ତାଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ତାନୀୟ ଅଞ୍ଚଳରେ ଯୁବ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଶ୍ରୀଧର ଦୀର୍ଘ ବର୍ଷ ସୁରତରେ ସୂତାକଳରେ କାମ କରୁଥିଲେ । ହେଲେ କରୋନା ସମୟରେ କାମ ବନ୍ଦ ହୋଇଯିବାରୁ ଗାଁକୁ ଫେରିଥିଲେ । ଏବେ ନିଜେ କିଛି କରିବେ ଭାବି ଦୁଇ ଏକର ଜମିରେ ପରିବା ଚାଷ ଆରମ୍ଭ କଲେ । ସେଠାରେ ଫୁଲ କୋବି, ବାଇଗଣ, ଧନିଆ ପତ୍ର, ଫୁଲ କୋବି, ଭେଣ୍ଡି ଭଳି ବିଭିନ୍ନ ପନିପରିବା ଚାଷ କରିଛନ୍ତି । ଏହାସହ ବିଲ ପାଖରେ ଏକ କୁକୁଡା ଫାର୍ମ ମଧ୍ୟ କରିଛନ୍ତି । ଏହି ଫାର୍ମରେ ପାଖାପାଖି ୩୦୦ କଡକନାଥ କୁକୁଡା ଅଛନ୍ତି । ସେ ସ୍ଥାନୀୟ ବଜାରରେ ପରିବା, କୁକୁଡା ଓ ଅଣ୍ଡା ବିକି ବେଶ୍ ଦୁଇ ପାଇସା ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ଏହି ଚାଷରୁ କେବଳ ଶୀଧର ସ୍ୱାବଲମ୍ବୀ ହୋଇ ନାହାନ୍ତି ବରଂ କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ରୋଜଗାର ପନ୍ଥା ଯୋଗାଇଛନ୍ତି । ତାଙ୍କ କ୍ଷେତରେ ଏବେ ୩ରୁ ୪ ଜଣ କାମ କରୁଛନ୍ତି । ଘର ପାଖରେ ରହି କାମ ମିଳୁଥିବାରୁ ସେମାନେ ମଧ୍ୟ ଖୁସି ଅଛନ୍ତି ।