ଚିନ୍ତା ବଢାଉଛି କରୋନା ସଂକ୍ରମଣ । କେରଳ ଓ ମହାରାଷ୍ଟ୍ରରେ ପୁଣି ଉପର ମୁହାଁ କରୋନା ଗ୍ରାଫ । ଦେଶରେ ଗତ ୨୪ ଘଣ୍ଟାରେ ୪୨, ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ।

190

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ବି ହୋଇନି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ଦେଖା ଦେଲାଣି । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା କମିବା ପରେ ହଠାତ ପୁଣି ଉପର ମୁହାଁ ହେବା ଦେଶରେ ତୃତୀୟ ଲହରର ଆଶଙ୍କାକୁ ବଢାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୨, ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩, ୫୬୩ ଆକ୍ରାନ୍ତ କେରଳର ହୋଇଥିବାବେଳେ ୮,୯୯୨ ଆକ୍ରାନ୍ତ ମହାରାଷ୍ଟ୍ରର ରହିଛନ୍ତି । ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି ।

ସେପଟେ ଗତ ୨୪ ଘଣ୍ଟାରେ ରେକର୍ଡ ହୋଇଥିବା କରୋନା ମିଟରରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦେଶରେ ୧,୨୦୬ଜଣ କରୋନା ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି । ଏହାରି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୦୭,୧୪୫ରେ ପହଁଚିଛି । କରୋନା ମହାମାରୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୦୭,୯୫,୭୧୬ରେ ପହଁଚିଛି ।
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଆୟତ୍ତକୁ ଆସୁନାହିଁ ସେପଟେ ପର୍ଯ୍ୟଟନ ସ୍ଥଳୀରେ ଲୋକ ଭିଡ ଜମାଇବା ଆରମ୍ଭ କଲେଣି । ନା ଅଛି ମାସ୍କ, ନା ସାମାଜିକ ଦୂରତା । ଲୋକଙ୍କ ଏଭଳି ବେଖାତିର ମନୋଭାବ ଦେଶରେ କରୋନାର ତୃତୀୟ ଲହରର ଆଶଙ୍କାକୁ ବଢାଇ ପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି ।

କେରଳ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ, ଦେଶର ଅନ୍ୟ ସ୍ଥାନରେ ଲୋକଙ୍କ ଗହଳି ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଉତ୍ତରପ୍ରଦେଶରେ ଲକଡାଉନ କଟକଣା କୋହଳ ହେବା ପରେ ହରିଦ୍ୱାର ଘାଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଗଙ୍ଗାରେ ବୁଡ ପକାଇବା ପାଇଁ ଲୋକଙ୍କ ଏପରି ଗହଳି କୋଭିଡ୍ର ସବୁ ଗାଇଡଲାଇନକୁ ଭାଙ୍ଗି ଦେଇଛି । ସେହିପରି ସିମଲାରେ ପର୍ଯ୍ୟଟକଙ୍କ ଭିଡ କୋଭିଡ୍ ନିୟମାବଳୀକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛି । ପର୍ଯ୍ୟଟନ ସ୍ଥାନରେ ଜମୁଥିବା ଲୋକଙ୍କ ଏଭଳି ଭିଡକୁ ନେଇ ଚିନ୍ତା ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କ ଗହଳିକୁ ନେଇ କେନ୍ଦ୍ରର ତାଗିଦ୍ ପରେ ଉତ୍ତରାଖଣ୍ଡ ଓ ହିମାଚଳରେ କୋଭିଡ୍ ନିୟମାବଳୀକୁ ଗୁରୁତ୍ୱ ଦିଆଯାଇଛି । ଯାହାକୁ ଉଲ୍ଲଂଘନ କଲେ ଜରିମାନା ସହ ଜେଲଦଣ୍ଡ ପାଇଁ ଉଭୟ ରାଜ୍ୟ ସରକାର ଘୋଷଣା କରିଛନ୍ତି ।