ଆଗକୁ ବଢ଼ିପାରେ ରାଜ୍ୟର କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆଗାମୀ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

163

କନକ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ରାଜ୍ୟ ପାଇଁ ମଧ୍ୟ ଆଗାମୀ ୩ରୁ ୪ସପ୍ତାହରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କାରଣ ପୂର୍ବ ଲହର ଗୁଡିକରେ ଯେତେବେଳେ ଦିଲ୍ଳୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି ଏହାପରେ ପରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଅପରପକ୍ଷରେ ଆମେରିକୀୟ ବିଶେଷଜ୍ଞ ଡାକ୍ତର ଅଫସିନ୍ ଇମ୍ରାନୀ ଟ୍ୱିଟ କରି ମତ ରଖି କହିଛନ୍ତି, ଏବେ ଏଣ୍ଡେମିକ ସ୍ଥିତିରେ ଅଛି କରୋନା ।

             ତାରିଖ           ସଂକ୍ରମିତ ଚିହ୍ନଟ

  • ୨୪ ଏପ୍ରିଲ        ୨,୫୯୩
  • ୨୫ ଏପ୍ରିଲ୍        ୨,୫୪୧
  • ୨୬ ଏପ୍ରିଲ        ୨,୪୮୩
  • ୨୭ ଏପ୍ରିଲ        ୨,୯୨୭
  • ୨୮ ଏପ୍ରିଲ        ୩,୩୦୩

ଦେଶର ଏହି କରୋନା ଟ୍ରେଣ୍ଡକୁ ଦେଖି ପୁଣି ଥରେ ସଂକ୍ରମଣ କେମିତି ଉପର ମୁହାଁ ହୋଇଛି ତାହା ସ୍ପଷ୍ଟ ହୋଇଛି । ଆଉ ବିିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି ।

  • ‘୩ରୁ ୪ସପ୍ତାହ ପରେ ବଢ଼ିପାରେ ସଂକ୍ରମଣ’
  • ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

କରୋନାର ପୂର୍ବ ଲହର ଗୁଡିକରେ ଦେଖାଯାଇଥିଲା, ଦିଲ୍ଳୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢିବାର, ପ୍ରାୟ ମାସେ ଦୁଇମାସ ପରେ ଓଡିଶାରେ ସଂକ୍ରମଣ ବଢ଼ିଥାଏ । ଏବେ ଏହି ସବୁ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଆସନ୍ତା ୪ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଛନ୍ତି । କହିଛନ୍ତି, ଆଗାମୀ କିଛି ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ସଂକ୍ରମଣ ବଢ଼େ ତାହେଲେ, ରାଜ୍ୟର ହସ୍ପିଟାଲ ଗୁଡିକୁ ସବୁକୁ ତୁରନ୍ତ ଖୋଲାଯିବ । ସ୍ଥିତି ଉପରେ କଡା ନଜର ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସଂକ୍ରମଣ ବଢୁଥିବା ବେଳେ, ଲୋକଙ୍କ ଭିତରେ ସମ୍ଭାବ୍ୟ ଚତୁର୍ଥ ଲହରକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ, ଆମେରିକୀୟ ବିଶେଷଜ୍ଞ ଡାକ୍ତର ଅଫସିନ୍ ଇମ୍ରାନୀ ଟୁଇଟ୍ କରି ମତ ରଖିଛନ୍ତି । ଭୟଭୀତ ନହୋଇ ସାଧାରଣ ଜୀବନକୁ ଫେରିବାକୁ ପରାମର୍ଶ ଦେଇଛନ୍ତି ।

  • ‘ଶେଷ ପର୍ଯ୍ୟାୟରେ ଅଛି କରୋନା’
  • ଆକ୍ରାନ୍ତଙ୍କ ନିକଟରେ ସାମାନ୍ୟ ଲକ୍ଷଣ
  • ହସ୍ପିଟାଲରେ କମ ଅଛି ରୋଗୀ ସଂଖ୍ୟା

କାଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସର ଜଣାଶୁଣା ଡାକ୍ତର ଅଫସିନ୍ ଇମ୍ରାନୀ ଟୁଇଟ୍ କରି କହିଛନ୍ତି, ବର୍ତମାନ କରୋନା ଆକ୍ରାନ୍ତଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଉଛି । ସେମାନେ ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଉଛନ୍ତି । ତା’ଛଡ଼ା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଇସିୟୁ ଆଡମିସନ୍ ମଧ୍ୟ ସର୍ବନିମ୍ନ ସ୍ତରରେ ରହିଛି । ଓମିକ୍ରନ ପ୍ରଜାତି ଦ୍ୱାରା ପିଲାଙ୍କ ପାଇଁ କମ୍ ବିପଦ ରହିଛି । ୭୦ ରୁ ୮୦ ପ୍ରତିଶତ ପିଲା କୋଭିଡରୁ ସୁସ୍ଥ ହେଉଛନ୍ତି । ପିଲାମାନଙ୍କୁ ଟିକା ନେବା ପାଇଁ ବାଧ୍ୟ କରାଯିବାର କୌଣସି କାରଣ ନାହିଁ । ତେଣୁ ଲୋକେ ଆଉ ଭୟଭୀତ ନହୋଇ ସାଧାରଣ ଜୀବନକୁ ଫେରିବା ଉଚିତ୍ ।