ପୋଲିସ ଜୁଲମର ଅମାନବୀୟ ଚିତ୍ର । ଲକଡାଉନରେ ଚା’ ଦୋକାନ ଖୋଲିଥିବାରୁ ଗୋଇଠା ପରେ ଗୋଇଠା ମାରିଲେ, ଦୋକାନରେ ଥିବା କ୍ଷୀର ପ୍ୟାକେଟ୍ ନେଇଗଲେ । 

324

କନକ ବ୍ୟୁରୋ : କରୋନା ପାଇଁ ବିପଦରେ ପଡିଛି ଜୀବନ ଜୀବୀକା । ଗୋଟିଏ ପଟେ ସଂକ୍ରମଣର ଭୟ ଆଉ ଅନ୍ୟପଟେ ପେଟର ଭୋକ । ପରିସ୍ଥିତି ଏମିତି ହୋଇଛି ଦୀର୍ଘ ଦିନ ଧରି କଟକଣା ଲାଗୁ ହେବା ଯୋଗୁଁ ରୋଗଠାରୁ ପେଟର ଭୋକ ଭାରି ପଡିଛି । ଜୀବୀକା ପାଇଁ ପ୍ରତ୍ୟକ ମଣିଷ ସଂଘର୍ଷ କରୁଛନ୍ତି । ଏମିତି ସମୟରେ କଟକଣା ପାଳନ ପାଇଁ ସ୍ପେଶାଲ ଡ୍ରାଇଭ କରୁଛି ପୋଲିସ । ହେଲେ ଦୁର୍ଦ୍ଦିନ ଭିତରେ ଦେଶ ଓ ସମଗ୍ର ମାନବ ଜାତି ଗତି କରୁଥିବାବେଳେ କମିଶନରରେଟ୍ ପୋଲିସର ବ୍ୟବହାର ସମସ୍ତଙ୍କୁ ଚକିତ କରଛି ।

ସାମ୍ନାକୁ ଆସିଛି ପୁଲିସ ଜୁଲମର ଦୃଶ୍ୟ । ଭୁବନେଶ୍ୱର କେଶୁରା ଅଂଚଳରେ ବାପାଙ୍କ  ଅନୁପସ୍ଥିତିରେ ଚା ବିକୁଥିବା ଜଣେ ନାବାଳକକୁ ମନଇଚ୍ଛା ଗୋଇଠା ମାରିଛନ୍ତି ପୋଲିସ ବାବୁ । ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି ପୁଲିସ । ଗୋଇଠା ମାରିଥିବା ପୁଲିସକୁ ନିଲମ୍ବିତ କରାଯାଇଛି ।

ଜଣେ ଚା ଦୋକାନୀକୁ ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି ପୁଲିସବାବୁ । ଏହି ଘଟଣା ହେଉଛି ମଙ୍ଗଳବାର ସକାଳର । ଏହି ନାବାଳକର ଭୁଲ ଏତିକି ଥିଲା ଯେ, ସେ ଲକାଡାଉନ ସମୟରେ ଚା ଦୋକାନ ଖୋଲିଥିଲା ।

ମାସକୁ ମାସ ସରକାରଙ୍କଠାରୁ ଠିକ ସମୟରେ ଦରମା ପାଉଥିବା ଏହି ପୁଲିସବାବୁମାନେ ଜାଣନ୍ତିନାହିଁ ଯେ, ଦୋକାନ ନ ଖୋଲିଲେ ଘରେ ଠିକ ଭାବେ ଖାଇବାକୁ ମିଳିବ ନାହିଁ ।  ପୁଲିସ ଯାହାକୁ ଅପରାଧ ବୋଲି ଭାବୁଛି ସେ ହେଉଛି ଏହି ଗରିବ ଲୋକମାନଙ୍କ ପେଟପାଟଣାର ଏକମାତ୍ର ବାଟ ।

ଗୁରବାର ସକାଳେ କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ କମିଶନରେଟ ପୁଲିସ ଅଧିକାରୀଙ୍କ ନଜରକୁ ଏହି ମାମଲା ଆସିଥିଲା । ଜଣାପଡିଥିଲା, ଇଏ ହେଉଛନ୍ତି ଏ.କେ. ବିଶ୍ୱାଳ । ତେବେ ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା   ।

କିନ୍ତୁ  ଇଏ କେବଳ ଗୋଟିଏ ଘଟଣା ନୁହେଁ  । ପୁଲିସ ଏ କଥା ବୁଝିବା ଦରକାର ଯେ, କରୋନା ନିୟମ ଭାଙ୍ଗିବା ଓ ପେଟପାଟଣା ପାଇଁ ବାଧ୍ୟ ହେବା ଭିତରେ ଅତି ସରୁ ଗାର ଭଳି ପ୍ରଭେଦ ରହିଛି । ଆଉ ଏହି ଚା ଦୋକାନୀମାନେ ପୁଲିସବାବୁଙ୍କ ଭଳି ମାସିକ ଦରମା ପାଆନ୍ତି ନାହିଁ । ତେଣୁ ତାଙ୍କୁ ଟିକିଏ ସହାନୁଭୂତିର ସହ ଦେଖିବାର ଆବଶ୍ୟକତା ରହିଛି ।

ମଙ୍ଗଳବାର ଏପରି ଘଟଣା ଘଟିଥିଲା ଭୁବନେଶ୍ୱର କେସୁରା ଅଂଚଳରେ  । ସୂଚନା ଅନୁସାରେ କେସୁରା ଅଂଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ । ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଂଚିଥିଲା । ଆଉ ତାକୁ କାହିଁକି ଦୋକାନ ଖୋଲିଛ ବୋଲି ଧମକାଇଥିଲେ । ବିଚରା ନାବାଳକ କାକୁତି ମିନତି ହେଲେ ବି ପୋଲିସ୍ ବାବୁ ଶୁଣିନଥିଲେ । ଆଉ ନାବାଳକକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ ।

କରୋନା ସ୍ଥିତି ପାଇଁ ଜୀବନ ଓ ଜୀବିକା ବିପନ୍ନ  । ବଞ୍ଚିବାର ରାହା ଖୋଜୁଛି ସାଧାରଣ ଜନତା । ଆଉ କିପରି ଦି ପଇସା ରୋଜଗାର କରିହେବ, ସେ ନେଇ ଅଧିକାଂଶ ଚିନ୍ତାରେ । ଏପରି ସମୟରେ ପୋଲିସ୍ ବାବୁଙ୍କର ଏପରି ଗୋଇଠା ମରା ଅମାନୁଷିକତାର ଏକ ବଡ଼ ପ୍ରମାଣ । କରୋନା ସ୍ଥିତି ବେଳେ କଟକଣା ନିହାତି ଦରକାର । ହେଲେ ଟିକିଏ ମାନବିକତା ଦେଖାଇବା ବି ଜରୁରୀ । କିନ୍ତୁ ଏହି ଘଟଣା ଏହାର ବୟାନ କରୁନି, ବରଂ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସାଧାରଣ ଜନତା ପ୍ରତି ଖାକି ବାବୁଙ୍କ ଦାଦାଗିରି ଚିନ୍ତା କରିବାକୁ ବାଧ୍ୟ କରୁଛି ।