ମୋଟର ସାଇକଲ୍, କାର୍, ଫ୍ରିଜ୍ କିମ୍ବା ଏସି ଥିଲେ ରିହାତି ବନ୍ଦ !

54

କନକ ବ୍ୟୁରୋ: ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଘରେ ମୋଟର ସାଇକଲ୍, କାର୍, ଫ୍ରିଜ୍ କିମ୍ବା ଏସି ରହିଛି ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ମିଳିବ ନାହିଁ । ସେମାନଙ୍କ ନାମ ଗରିବ ହିତାଧିକାରୀ ତାଲିକାରୁ ଆପେ ବାଦ୍ ପଡ଼ିବ । କେବଳ ସେତିକି ନୁହେଁ, ଚାରି କୋଠରି ବିଶିଷ୍ଟ ଘରେ ବାସ କରୁଥିବା ଲୋକମାନଙ୍କ ନାମ ମଧ୍ୟ ଏହି ତାଲିକାରୁ ବାଦ ପଡ଼ିବ ।

ସହରାଞ୍ଚଳ ଗରିବମାନଙ୍କୁ ଚିହ୍ନଟ କରିବା ଲାଗି ଗଠନ ହୋଇଥିବା ବିବେକ ଦେବରାୟ କମିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଛନ୍ତି । ଏହି ସୁପାରିସ ଉପରେ କେନ୍ଦ୍ର ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଜଣାପଡିନଥିଲେ ମଧ୍ୟ ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହେଲାଣି ।

ଆକଳନ ଅନୁସାରେ, ସହରାଞ୍ଚଳରେ ବସବାସ କରୁଥିବା ପ୍ରାୟ ୫୯% ଲୋକ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି । କମିଟି ରିପୋର୍ଟକୁ ଯଦି କାର୍ଯ୍ୟକାରୀ କରାଯାଏ, ତେବେ ଏତିକି ପ୍ରତିଶତ ଲୋକ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ପାଇବାକୁ ଯୋଗ୍ୟ କିମ୍ବା ଅଯୋଗ୍ୟ ତାହାକୁ ଅନୁଧ୍ୟାନ କରାଯିବ ।

ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ କେଉଁମାନେ ପାଇବା ଦରକାର ଏବଂ କେଉଁମାନେ ତାଲିକାରୁ ବାଦ୍ ପଡ଼ିବା ଦରକାର ସେ ନେଇ ବିବେକ ଦେବରାୟ କମିଟି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଏହି ସୁପାରିସ୍ ଅନୁଯାୟୀ, ଆବାସିକ, ବୃତ୍ତିଗତ ଏବଂ ସାମାଜିକ ସ୍ଥିତି ବିଚାରକୁ ନେଇ ହିତାଧିକାରୀମାନଙ୍କୁ ଚୟନ କରାଯିବ ।

ଯେଉଁମାନେ ବାସହରା କିମ୍ବା ପଲିଥିନ୍ ଛପର ଘରେ ବାସ କରୁଛନ୍ତି, ଯେଉଁମାନଙ୍କର ଆୟ ପନ୍ଥା ନାହିଁ, ଯେଉଁ ପରିବାରର ସାବାଳକ ପୁଅ ନାହାନ୍ତି କିମ୍ବା ଯେଉଁ ପରିବାରର ମୁଖ୍ୟ ଜଣେ ଶିଶୁ, ସେମାନେ ଆପେ ହିତାଧିକାରୀ ତାଲିକାରେ ସାମିଲ ହେବେ । ଏମାନଙ୍କ ବାଦ ଯେଉଁମାନେ ରହିଯିବେ ସେମାନେ ହିତାଧିକାରୀ ତାଲିକାରେ ସାମିଲ ହେବାକୁ ଯୋଗ୍ୟ ନା ନାହିଁ ତାହା ଅନୁଧ୍ୟାନ କରାଯିବ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୂଚୀ ପ୍ରସ୍ତୁତ କରାଯିବ ଏବଂ ୦-୧୨ ପର୍ଯ୍ୟନ୍ତ ସ୍କୋର ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ, ସହରାଞ୍ଚଳ ଗରିବମାନଙ୍କୁ ଚିହ୍ନଟ କରିବା ପାଇଁ ୨୦୧୨ରେ ଏସ୍ ଆର୍ ହାସିମ୍ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ହାସିମ୍ କମିଟିର ରିପୋର୍ଟ ଗ୍ରହଣ ହୋଇଥିଲେ ହିତାଧିକାରୀ ହେବା ପାଇଁ ଯୋଗ୍ୟତା ଅନୁଧ୍ୟାନ ପ୍ରକ୍ରିୟାରେ ସହରାଞ୍ଚଳର ୪୧% ପରିବାରକୁ ସାମିଲ ହେବାକୁ ପଡ଼ିଥାନ୍ତା । ମାତ୍ର କେନ୍ଦ୍ର ସରକାର ଏହି କମିଟି ରିପୋର୍ଟକୁ ଗ୍ରହଣ କରିନଥିଲେ, ବରଂ ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା ।