ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି : ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପରେ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣି ମନ୍ତ୍ରୀ

ମେଡିକାଲ କଲେଜ କାହିଁକି ହେଲା ନାହିଁ ବୋଲି କଲେ ପ୍ରଶ୍ନ

120

କନକ ବ୍ୟୁରୋ : ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି । ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବାବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ । ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫ , ଏପ୍ରିଲ ୨ତାରିଖରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି କରିସାରିଛନ୍ତି । ଏଥି ସହିତ ୨୦୧୫ରେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରାଉରକେଲା ସାଂସଦଙ୍କୁ ଆଶ୍ୱାସନା ଦେଇଥିଲେ ଅତିଶୀଘ୍ର ମେଡିକାଲ କାର୍ଯ୍ୟ ଆରମ୍ଭ କରାଯିବ ।

ହେଲେ ଏବେ କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି । ତେଣୁ ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ । ଯାହା ଏକ ବଡ ରାଜନୈତିକ ବିବାଦର ସୂତ୍ରପାତ କରିଛି ।  ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲା ଓ ସୁନ୍ଦରଗଡ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ । ଏହି ଅଞ୍ଚଳରୁ ବହୁ ପରିମାଣରେ ଲୁହା-ପଥର, ଖଣି, କୋଇଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ଉନ୍ନତିରେ ସହାୟକ ହେଉଛି । ଆଜି ଯଦି ରାଉରକେଲା ଇସ୍ପାତ କାରଖାନା ଦେଶ ଓ ବିଦେଶରେ ସୁନାମରେ ଅର୍ଜନ କରିପାରିଛି ଏଥିରେ ରାଉରକେଲା ଏବଂ ସୁନ୍ଦରଗଡବାସୀଙ୍କର ବହୁତ ଅବଦାନ ରହିଛି ।

ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ଆଖ-ପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ । ପ୍ରତିଶ୍ରୁତି ପୂରଣ ନହେବାରୁ ସେହି ଅଞ୍ଚଳବାସୀ ଓ ବିଶେଷ କରି ସୁନ୍ଦରଗଡ ଏବଂ ରାଉରକେଲା ବାସୀ ବହୁତ ନିରାଶ ଏବଂ ଦୁଃଖିତ । ମେଡିକାଲ କଲେଜ ନକରି ମାତ୍ର ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବାରୁ ନିରାଶ ।  ତେଣୁ ରାଉରକେଲା ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ଏହି ଘୋଷଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ମେଡିକାଲ କଲେଜର ନିର୍ମାଣ ଶୀଘ୍ର ପୂରଣ କରନ୍ତୁ ଏବଂ ଏହି ଆଦିବାସୀ ବହୁଳ ରାଉରକେଲା ଓ ସୁନ୍ଦରଗଡ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।