ତେଜିଲା ପଦ୍ମପୁର ରେଳ ପ୍ରକଳ୍ପ ରାଜନୀତି: ରାଜ୍ୟ ଓ କେନ୍ଦ୍ର ଦୋଷ ଲଦାଲଦି

111

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ବେଳେ ତେଜିଲା ପଦ୍ମପୁର ରେଳ ପ୍ରକଳ୍ପ ରାଜନୀତି । ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଜବାବ ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ବରଗଡ଼ ପଦ୍ମପୁର ଦେଇ ନୂଆପଡ଼ା ରୋଡ଼କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଓଡିଶା ରେଳଭିତିଭୂମି ବିକାଶ ଲିମିଟେଡକୁ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ । ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାମକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, ପ୍ରସ୍ତାବିତ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ଼ ରେଳ ଲାଇନ୍ ତିଆରି ହେବ ବୋଲି ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । ଏବେ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ୩ ବର୍ଷ ପୂରଣ ହୋଇଛି କିନ୍ତୁ କାହିଁକି ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନି । ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ୩୦୦ କୋଟି ଟଂକା ଯୋଗାଇ ଦେବେ ବୋଲି କହିଛନ୍ତି । କିନ୍ତୁ ରେଳ ଲାଇନ୍ ପ୍ରକଳ୍ପ ତିଆରି ନହେବା ରାଜ୍ୟକୁ କେନ୍ଦ୍ର ଅଣଦେଖା କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।