ମନ୍ତ୍ରୀଙ୍କ ବାପାଙ୍କ ନାଁରେ ଆରଏମସି ବଜାର ନାମକରଣକୁ ନେଇ ବିବାଦ : ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ, ବିରୋଧୀ କଲେ ବିକ୍ଷୋଭ

366

କନକ ବ୍ୟୁରୋ : ମନ୍ତ୍ରୀଙ୍କ ବାପାଙ୍କ ନାଁରେ ଆରଏମସି ବଜାର ନାମକରଣକୁ ନେଇ ବିବାଦ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏକ ନିୟନ୍ତ୍ରିତ ବଜାର କମିଟିକୁ ନିକଟରେ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ହେଲେ ଏହି ବଜାରର ନାମକରଣ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବାପା ବଳଭଦ୍ର ଆରୁଖଙ୍କ ନାଁରେ ନାମିତ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।

ମନ୍ତ୍ରୀଙ୍କ ବାପା ବଳଭଦ୍ର ଆରୁଖଙ୍କ ସମାଜକୁ କଣ ଅବଦାନ ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ହେଲେ ବିଜେଡି କହିଛି, ବହୁବାର କୃଷକଙ୍କୁ ନେଇ ବଳଭଦ୍ର ଆରୁଖ ବିଭିନ୍ନ ଦାବିରେ ଭୁବନେଶ୍ୱର ପଦଯାତ୍ରା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶଇଙ୍କୁ ଭଂଜନଗର ଆଣିବାରେ ତାଙ୍କର ଅବଦାନ ରହିଥିଲା । ତେଣୁ ଏଭଳି ଜଣେ କୃଷକ ସଂଗଠକଙ୍କ ନାଁରେ ବଜାରର ନାମକରଣ କରାଯାଇଛି । ଭଂଜନଗର ସହରରୁ ଜବରଦଖଲ ଉଚ୍ଛେଦ ପରେ ବଜାର ଉପରେ ଥିବା ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରି ସ୍ଥାୟୀ ବଜାର ଯୋଗାଇ ଦେବାକୁ ନିଷ୍ପତ୍ତି କରିଥିଲା ସ୍ଥାନୀୟ ପ୍ରଶାସନ ।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରଚେଷ୍ଟାରେ ୫ ଏକର ଯାଗାରେ ୫ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ଏହି କୃଷକ ବଜାର । ହେଲେ ଘର ଓ ବଜାର ପାଇଁ ଆନୁସଙ୍ଗିକ ବ୍ୟବସ୍ତା ଥାଇ ସୁଦ୍ଧା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଜାରକୁ ଖୋଲାଗଲା ନାହିଁ । ପରେ ଆରଏମସି କାର୍ଯ୍ୟାଳୟ ପରିସରରେ ଥିବା ୬୫ଟି ଦୋକାନ ଗୃହକୁ କୃଷକ ବଜାର ନାମରେ ଘୋଷଣା କରାଯାଇଛି । ସେଥି ମଧ୍ୟରୁ ୩୯ ଟି ଦୋକାନ ଗୃହ ବାହାରେ ଏବଂ ୨୬ଟି ଆରଏମ୍ସି କ୍ୟାମ୍ପସ ଭିତରେ ନିର୍ମାଣ କରାଯାଇଛି । ୭ଟି ପିଣ୍ଡି ଓ ୧୫ଟି ମାଛ, ମାଂସ ଦୋକାନ ପାଇଁ ସ୍ଥାନ ନୀରୁପଣ କରାଯାଇ ମଣ୍ଡପ କରାଯାଇଛି । ତେବେ ଏହାକୁ ବଳଭଦ୍ର ଆରୁଖଙ୍କ ନାଁରେ ନାମକରଣକୁ ପ୍ରବଳ ବିରୋଧ ହେଉଛି ।