କନକ ବ୍ୟୁରୋ : ସରକାରୀ ଜମିରେ ମକା ଚାଷକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ । ଗୋଟିଏ ଜମିକୁ ଉଭୟ ଗ୍ରାମବାସୀ ନିଜ ଗାଁର କହିବା ସହ ନିଜ ଦାଖଲରେ ରହିଥିବା କହିଛନ୍ତି । ଏବଂ ସଂପୃକ୍ତ ଜମିକୁ ନେଇ ପ୍ରତିବର୍ଷ ମକା ଚାଷ ସମୟରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି । ଏଭଳି ବିବାଦ ଲାଗିଛି ନବରଙ୍ଗପୁର ଉମରକୋଟ ତହସିଲ ଅନ୍ତର୍ଗତ ମୁର୍ତୁମା ଓ ସାନ ଖଡକା ଗାଁ ମଧ୍ୟରେ । ସାନ ଖଡକା ଗ୍ରାମବାସୀ ଲଗାଇଥିବା ୩୨ ଏକର ଜମିରେ ମକା ଫସଲକୁ କାଟି ନଷ୍ଟ କରି ଦେଲେ ମୁର୍ତୁମା ଗ୍ରାମବାସୀ । ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାନ ଖଡକା ଗ୍ରାମବାସୀ ।

Advertisment

ଜମି ସରକାରଙ୍କର, ବିବାଦ ଦୁଇ ଗ୍ରାମବାସୀଙ୍କର । ଆଉ ଏ ହେଉଛି ସେହି ବିବାଦର ପରିଣତି । ଶତାଧିକ ପୁରୁଷ ଓ ମହିଳା ହାତରେ ଦାଆ, କାତି, ଠେଙ୍ଗା ଧରି ସବୁଜ ମକା ଫସଲକୁ ନଷ୍ଟ କରି ଦେଉଛନ୍ତି । ସରକାରୀ ଜମି ଦଖଲକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ତହସିଲ ଅନ୍ତର୍ଗତ ମୁର୍ତୁମା ଓ ସାନ ଖଡକା ଗାଁ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ଏକର ଏକର ଜମିରେ ଫସଲ ଉଜୁଡି ଯାଇଛି । ସାନ ଖଡକା ଗାଁ ଲୋକେ କରିଥିବା ୩୨ ଏକର ମକା ଚାଷକୁ ମୁର୍ତୁମା ଗାଁ ଲୋକେ ନଷ୍ଟ କରି ଦେଇଛନ୍ତି ।

ସାନ ଖଡକା ଅଂଚଳରେ ୫୨ ଏକର ୧୭ ଡିସିମିଲ ସରକାର ଜମି ରହିଛି । ସେଗୁଡିକ ମୁର୍ତୁମା ମୌଜାରେ ରହିଛି । ଗତବର୍ଷ ଉକ୍ତ ଜମିରେ ମକା ଚାଷ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଉଭୟ ଗ୍ରାମବାସୀଙ୍କୁ ବାରଣ କରାଯିବା ସହ ୧୪୪ ଧାରା ଜାରି କରାଯାଇଥିଲା । ଏହାପରେ ବି ସାନ ଖଡ଼କାର ଚାଷୀ ସେହି ଜମିରେ ମକା ଚାଷ କରିଥିଲେ । ଏ ବର୍ଷ ବି ମକା ଚାଷ କରିଥିବା ବେଳେ ମୁର୍ତୁମା ଗାଁ ଲୋକ ତହସିଲ ଓ ଥାନାରେ ଜଣାଇଥିଲେ, କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଲୋକ ନିଜେ ଫସଲ ନଷ୍ଟ କରି ଦେଇଛନ୍ତି । ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉମରକୋଟ ତହସିଲଦାର ଡ଼କ୍ଟର ହିମାଂଚଳ ମାଝୀ । ତେବେ ଏବେ ଅପେକ୍ଷା କେବେ ଏହାର ତଦନ୍ତ ହେବ ଆଉ ଦୁଇ ଗାଁ ମଧ୍ୟରେ ଲାଗିଥିବା ବିବାଦର ଅବସାନ ଘଟିବ ।