କନକ ବ୍ୟୁରୋ: ଫାଇଭ-ଟି ସଚିବ ହେଲିକପ୍ଟରରେ ଗସ୍ତ କରିବାକୁ ନେଇ ବିବାଦ ଥମିବାର ନାଁ ନେଉନି । ଜଣେ ସରକାରୀ କର୍ମଚାରୀ ହୋଇ କେଉଁ ନୀତି ଆଧାରରେ ପାଣ୍ଡିଆନ ହେଲିକପ୍ଟରରେ ବାରମ୍ବାର ଗସ୍ତ କରିଛନ୍ତି, ଏଥିପାଇଁ ଟଙ୍କା କିଏ ଦେଉଛି, ତାକୁ ନେଇ ତେଜିଛି ରାଜନୀତି । ଆଉ ଆଗକୁ ବିଧାନସଭା ଅଧିବେଶନ ବସିବାକୁ ଯାଉଥିବାରୁ, ଏହି ପ୍ରସଙ୍ଗ ଗୃହରେ ଉଠାଇବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ତେବେ ସଫେଇ ଦେଇ ବିଜେଡି ବିଧାୟକ କହିଛନ୍ତି ଲୋକଙ୍କ ପାଖରେ ପହଁଚିବା ପାଇଁ ଏହାର ଆବଶ୍ୟକତା ଥିଲା ।

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ.ପାଣ୍ଡିଆନ, ହେଲିକପ୍ଟରରେ ଉଡିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି । ସଚିବଙ୍କ ହେଲିକପ୍ଟର ଉଡାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ସହ ହେଲିକପ୍ଟର ଯୋଗାଇବାକୁ ସରକାର ଚୁକ୍ତି କରିଛନ୍ତି, ଏ ବାବଦକୁ କାହାକୁ କେତେ ଟଙ୍କା ଦିଆଯାଇଛି, ଏ ସମ୍ପର୍କରେ ପରିବହନ ବିଭାଗ ଜାଣି ନଥିବା ଉତର ଦେବା ପରେ, ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, କେଉଁଠୁ ଟଙ୍କା ଆସୁଥିଲା ତାହାର ହିସାବ ସାମ୍ନାକୁ ଆସିବା ଦରକାର । ବିମାନ ଉଡାଣ ନେଇ ରାଜ୍ୟ ସରକାର କେଉଁଠି ଓ କେମିତି ଖର୍ଚ୍ଚ କରୁଥିଲେ ସେହି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପାଣ୍ଡିଆନଙ୍କ ହେଲିକପ୍ଟର ଉଡିବା ଖର୍ଚ୍ଚର ତଦନ୍ତ ଦାବି କରିବା ପରେ, ବିଜେଡିି ବିଧାୟକ ସ୍ୱରୂପ ଦାସ କହିଛନ୍ତି, ରାଜ୍ୟର ବିକାଶ ଭଳି ମହାନ ଉଦ୍ଦେଶ୍ୟ ନେଇ ସଚିବ ବିମାନର ବ୍ୟବହାର କରୁଛନ୍ତି । ଓଡିଶା ଭଳି ବଡ ରାଜ୍ୟରେ ୩୦ ଜିଲ୍ଲାର ଲୋକଙ୍କ ପାଖରେ ପହଁଚିବା ପାଇଁ ଏହାର ଆବଶ୍ୟକତା ଥିଲା ।

ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ, ଶାସକ ଦଳ ଓ ବିରୋଧୀଙ୍କ ବୟାନବାଜି ଭିତରେ, ପ୍ରକୃତରେ ଏଥିପାଇଁ କିଏ ଟଙ୍କା ଦେଉଛି, ତାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଉକ୍ରଣ୍ଠା ସୃଷ୍ଟି ହୋଇଛି । କାରଣ ସ୍ୱତନ୍ତ୍ର ହେଲିକପ୍ଟର ଓ ବିମାନ ଯାତ୍ରା କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି । ନିୟମ ଅନୁସାରେ, ରାଜ୍ୟ ସରକାର ଯେଉଁ ବିମାନ ବା ହେଲିକପ୍ଟର ବ୍ୟବହାର କରିବେ, ତାହା ବାଣିଜ୍ୟ ଓ ପରିବହନ ବିଭାଗ ମାଧ୍ୟମରେ ଟେଣ୍ଡର ହୋଇ ଆସିବ । ଏହାର ଭଡା ଟଙ୍କା ପରିବହନ ବିଭାଗ ଦେବ । ତେବେ ପରିବହନ ବିଭାଗ, ବିମାନ ଭଡା ସମ୍ପର୍କୀତ କୌଣସି ତଥ୍ୟ ନଥିବା ଆରଟିଆଇରେ ଉତର ଦେବା ପରେ, ସନ୍ଦେହ ସୃଷ୍ଟି ହୋଇଛି ।