‘ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢ଼ିଲା ବିବାଦ ! କଂଗ୍ରେସ କହିଲା କେନ୍ଦ୍ର ବିଫଳତାକୁ ଲୁଚାଇବାକୁ ଫିଲ୍ମ ମାଧ୍ୟମରେ ଚେଷ୍ଟା ।

143

କନକ ବ୍ୟୁରୋ : ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟରକୁ ନେଇ ତେଜିବାରେ ଲାଗିଛି ବିବାଦ  । ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ୍  । ମୋଦିଙ୍କ ବିଫଳତାକୁ ଲୁଚାଇବାକୁ ବିଜେପି ଫିଲ୍ମକୁ ମାଧ୍ୟମ କରିଥିବା ଆରୋପ ଲଗାଇଛି କଂଗ୍ରେସ୍  । କଂଗ୍ରେସ କହିଛି ୨୦୧୪ ପୂର୍ବରୁ ବହି ଓ ୨୦୧୯ ନିର୍ବାଚନ ଆଗରୁ ଏହି ଫିଲ୍ମକୁ ପ୍ରମୋଟ୍ କରୁଛି ବିଜେପି  ।

ରାଜନୀତିର ଅଡୁଆ ଜାଲରେ ରୂପେଲି ପରଦା । ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟରକୁ ନେଇ ବଢ଼ିଲା ବିବାଦ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୧୦ ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ହିନ୍ଦି ସିନେମା ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟରର ଟ୍ରେଲର୍ ଆସିବାର କିଛି ସମୟ ମଧ୍ୟରେ ହିଁ ଏହାକୁ ନେଇ ଉଷ୍ମ ହୋଇଛି ଜାତୀୟ ରାଜନୀତି  । ଏନେଇ କଂଗ୍ରେସ ସିଧାସଳଖ ଟାର୍ଗେଟ୍ କରିଛି ମୋଦି ସରକାରଙ୍କୁ  ।

କଂଗ୍ରେସ କହିଛି :

– କେନ୍ଦ୍ର ସରକାରଙ୍କ ବିଫଳତା ଆଡୁ ଧ୍ୟାନ ହଟାଇବାକୁ ବିଜେପି ଫିଲ୍ମକୁ ମାଧ୍ୟମ କରିଛି  ।

– ୨୦୧୪ ନିର୍ବାଚନ ପୂର୍ବରୁ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର ବହି ଓ ୨୦୧୯ ନିର୍ବାଚନରୁ ପୂର୍ବରୁ ବହିର ସିନେମା ସଂସ୍କରଣକୁ ପ୍ରମୋଟ୍ କରୁଛି ବିଜେପି  ।

ରୂପେଲି ପରଦାରେ ରାଜନୀତିର କାହାଣୀ । ମନମୋହନଙ୍କ ୧୦ ବର୍ଷର କାର୍ଯ୍ୟକାଳ । ଅବିକଳ ମନମୋହନ ସିଂଙ୍କ ପରି ଚାଲି, ଠାଣି ଓ କଥା କହିବା ଶୈଳୀ  । ଚମତ୍କାର ଶୈଳୀରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଭୂମିକାକୁ ନିଭାଇଛନ୍ତି ବରିଷ୍ଠ ଅଭିନେତା ଅନୁପମ ଖେର୍  । ସେହିପରି ସୋନିଆ ଗାନ୍ଧୀଙ୍କ ଭୂମିକାରେ ସୁଜେନ୍ ବର୍ନେଟ୍ ଓ ରାଜନୈତିକ ଉପଦେଷ୍ଟା ସଂଜୟ ବାରୁ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିଛନ୍ତି  । ଅନ୍ୟପଟେ ବିବାଦ ନେଇ ପୁଣି ମୁହଁ ଖୋଲିଛନ୍ତି ଅନୁପମ୍ ଖେର୍  । ୨୦୧୯ ନିର୍ବାଚନ ସମୟରେ ମୁକ୍ତିଲାଭ କରିବ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର  । ତେବେ ଫିଲ୍ମରେ ଗାନ୍ଧୀ ପରିବାର କଥା ଥିବାରୁ ଏହା ଆଗକୁ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିବା କୁହାଯାଉଛି  ।