କନକ ବ୍ୟୁରୋ: ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଲୋକଙ୍କୁ ପିଡିଏସ୍ ଚାଉଳ ଯୋଗାଇ ଦିଆଯାଉଛି । ଗାଁ ଗାଁରେ ଲୋକେ ପିଡିଏସ୍ ଚାଉଳ ପାଉଛନ୍ତି । ଲୋକଙ୍କୁ ପିଡିଏସ୍ ଚାଉଳରେ ସ୍ୱତନ୍ତ୍ର ଫର୍ଟିଫାଏଡ୍ ଚାଉଳ ମିଶାଇ ପିଡିଏସ୍ ଚାଉଳରେ ଯୋଗାଇ ଦିଆଯାଉଛି । ଭିଟାମିନ୍ ଅଭାବ ଦୂର ପାଇଁ ଫର୍ଟିଫାଏଡ୍ ରାଇସ୍ ଦିଆଯାଉଛି । ବିଶେଷ କରି ଶିଶୁ ଓ ମହିଳାଙ୍କ ପୁଷ୍ଟିହୀନତା ଦୂର ପାଇଁ ଏପରି ବ୍ୟବସ୍ଥା ହୋଇଛି । ଏଫ୍ଏସ୍ଏସ୍ଏଆଇ ମାନଦଣ୍ଡ ଅନୁସାରେ ୧ କେଜି ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନ୍-ଯୁକ୍ତ ଚାଉଳ ମିଶାଯାଏ । ଏହି ଚାଉଳରେ ଲୌହସାର, ଫଲିକ୍ ଏସିଡ ଓ ଭିଟାମିନ୍ ବି-୧୨ ରହିଥାଏ । ଯାହା ଲୋକଙ୍କ ଶରୀରରେ ଥିବା ଭିଟାମିନ୍ ଅଭାବକୁ ଦୂର କରିବ ବୋଲି କୁହାଯାଇଛି । ଏପଟେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ବାହୀନିପତି ପିଡିଏସ୍ ଚାଉଳରେ ଫର୍ଟିଫାଏଡ୍ ଚାଉଳ ବଂଟାଯିବାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପିଡିଏସ୍ ଚାଉଳ ବଂଟନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବାହା ବାହାଇ ନେବାକୁ ପଛାଉ ନାହାଁନ୍ତି । କିନ୍ତୁ ଏହି ଚାଉଳ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଭଲ, ଖରାପ ସେ ବିଷୟରେ କେହି ମୁହଁ ଖୋଲୁ ନାହାଁନ୍ତି । ଏହି ଫର୍ଟିଫାଏଡ୍ ଚାଉଳ ଖାଇବା ଦ୍ୱାରା ଥାଲେସେମିଆ, ଏନ୍ମିଆ, ଫାଲେରିଆ ରୋଗୀଙ୍କ ସମସ୍ୟା ଆହୁରି ବଢିଯାଇପାରେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସୂଚନା ଅନୁସାରେ ହିତାଧିକାରୀଙ୍କୁ ଚାଉଳ ବସ୍ତାରେ ଡାକ୍ତରଙ୍କୁ ପରାମର୍ଶ କରି ଖାଇବା ପାଇଁ ସୂଚନା ଦିଆଯାଇଛି । ହେଲେ ଗରିବ ଖଟିଖିଆ ଆଦିବାସୀ ଲୋକ ମାନେ ୫ରୁ ୧୦ କିଲୋ ଚାଉଳ ନେଉଥିବା ବେଳେ କିଭଳି ଏହି ସୂଚନା ପ୍ରତି ଅବଗତ ହେବେ । ଏହକୁ ନେଇ ପ୍ରଶ୍ନ ଉଠିଛି ।