ବଢୁଛି “ପଦ୍ମାବତୀ’ ବିବାଦ ! ଦୀପିକାଙ୍କୁ ଜିଅନ୍ତା ଜାଳିବାକୁ କୋଟିଏ ଟଙ୍କା ଘୋଷଣା ।

34

 ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ କମୁନଥିବା ବେଳେ ଦୀପିକାଙ୍କୁ ଟାର୍ଗେଟ କରିଛି ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା । ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀ ସାଜିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଚଳଚ୍ଚତ୍ର ନିର୍ମାତା ବଂଶାଲିଙ୍କ ମୁଣ୍ଡକାଟ ଲାଗି ହରିଆଣା ବିଜେପି ନେତା ସୁରଜ ପାଲ ଅମୁ ୧୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଝଡ଼ ସୃଷ୍ଟି କରିଥିଲେ। ସେହିପରି ଦୀପିକାଙ୍କୁ ଜିଅନ୍ତା ଜାଳିବା ଲାଗି ଆଜି ଅନ୍ୟ ଏକ ଅନୁଷ୍ଠାନ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି। ତେବେ ପରିତାପର ବିଷୟ, ସ୍ୱାଧୀନ ଭାରତରେ ଏପରି ଧମକ ଚମକ ଜାରି ରହିଥିବା ବେଳେ ସରକାର ଉଦାସୀନ ରହିଛନ୍ତି। ସମ୍ପ୍ରତି ଦେଖାଦେଇଥିବା ଏହି ସମ୍ବେଦନଶୀଳ ସମସ୍ୟାର ଆଶୁ ସମାଧାନ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି।

‘ପଦ୍ମାବତୀ’ର ନାୟିକା ଦୀପିକା ପାଦୁକୋନଙ୍କୁ ଜିଅନ୍ତା ଜାଳିବା ଲାଗି ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା (ଏବିକେଏମ୍)ର ଭୁବନେଶ୍ୱର ସିଂହ । ରାଣୀ ପଦ୍ମାବତୀଙ୍କ ତ୍ୟାଗ ବିଷୟରେ ଦୀପିକା ସମ୍ପୂର୍ଣ୍ଣ ଭାବେ ଅଜ୍ଞ। ତେଣୁ ସେ ଜିଅନ୍ତା ଜଳିବାର କଷ୍ଟ ଅନୁଭବ କରିବା ଦରକାର ବୋଲି ଭୁବନେଶ୍ୱର କହିଛନ୍ତି। ତେଣୁ ଯେ କେହି ବି ଦୀପିକାଙ୍କୁ ଜିଅନ୍ତା ଜାଳିଦେବାର ସାହସ କରିବ ତାଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ସେପଟେ ପଦ୍ମାବତୀ ଫିଲ୍ମକୁ ବିରୋଧ କରିବା ଲାଗି ଏକ ଉଗ୍ର ଭିଡିଓ ଜାରିକଲା ରାଜପୁତାନା ସଂଗଠନ । ସଂଜୟ ଲୀଲା ଭନସାଲୀଙ୍କ ଫିଲ୍ମକୁ ନେଇ ରାଜପୁତଙ୍କ ଆନ୍ଦୋଳନ ରାଜ୍ୟରୁ ରାଜ୍ୟକୁ ଡେଇଁବାରେ ଲାଗିଛି । ଓଡିଶାରେ ରାଜପୁତମାନଙ୍କୁ ଏକାଠି ହେବା ଲାଗି ଭିଡିଓ ଜାରି କରି ଅପିଲ କରାଯାଇଛି । ରାଜପୁତମାନଙ୍କ ବୀରତ୍ୱକୁ ପ୍ରଦର୍ଶନ କରୁଥିବା କିଛି ଫଟୋ ସହ ଏହି ଭିଡିଓ ପ୍ରସ୍ତୁତ ହୋଇଛି । ରାଜପୁତମାନଙ୍କ ଇତିହାସକୁ ବିକୃତ କରାଯାଇଥିବାରୁ ଏକାଠି ହୋଇ ହିଂସାତ୍ମକ ଆନ୍ଦୋଳନ କରିବାକୁ ଆହ୍ୱାନ ଦିଆଯାଇଛି ।

ସେପଟେ ପଦ୍ମାବତୀ ସିନେମାକୁ ନେଇ ଆନ୍ଦୋଳନ ଚଳାଇଥିବା ଗୋଷ୍ଠିକୁ ଲାଗିଛି ବଡ ଝଟକା । ପଦ୍ମାବତୀରୁ ଆପତିଜନକ ଦୃଶ୍ୟ କାଟିବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତିି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ କହିଛନ୍ତି ଏପର୍ଯ୍ୟନ୍ତ କେନ୍ଦ୍ରିୟ ସେନସର ବୋର୍ଡ ପଦ୍ମାବତୀ ସିନେମାକୁ ସାର୍ଟିଫିକେଟ୍ ଦେଇ ନାହାଁନ୍ତି । ତେଣୁ ଏହି ମାମଲାରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ । ଆଇନଜୀବି ଏମ.ଏଲ ଶର୍ମା ଏହି ଫିଲ୍ମରୁ ରାଣୀ ପଦ୍ମାବତୀଙ୍କ ଆପତିଜନକ ଦୃଶ୍ୟ କାଟିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଆବେଦନ କରିଥିଲେ । ସେନସର ବୋର୍ଡ ସାର୍ଟିଫିକେଟ ଦେଇନଥିଲେ ମଧ୍ୟ ସିନେମାର ଗୀତ ରିଲିଜ୍ ହୋଇ ସାରିଛି ଏବଂ ସେଥିରେ ଆପତିଜନକ ଦୃଶ୍ୟ ରହିଛି ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ।

ତେବେ ଏହାକୁ ଗ୍ରହଣ କରି ନାହାଁନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ଏହି ସିନେମାର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ସିଧାସଳଖ ମନା କରିଦେଇଥିଲେ । ସିନେମାରେ ପଦ୍ମାବତୀଙ୍କ ଚିରିତ୍ରକୁ କଦର୍ଥ କରାଯାଇଥିବା ଅଭିଯୋଗରେ ସିନେମାକୁ ବ୍ୟାନ୍ କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ ସଂଗଠନ । ତେବେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଏହି ଫିଳ୍ମର ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ।